ବିଜେଡ଼ି ଲିଗାଲ ସେଲ୍ ଅଧ୍ୟକ୍ଷ ମିଲନ କାନୁନଗୋ ଚିଟଫଣ୍ଡ କମ୍ପାନୀମାନଙ୍କ ପାଇଁ ଓକିଲାତି ବିରୋଧରେ ପ୍ରତିବାଦ ସଭା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଗତ ୧୦ରୁ ୧୨ ବର୍ଷ ଧରି ଓଡ଼ିଶାରେ ବିଭିନ୍ନ ଚିଟଫଣ୍ଡ କମ୍ପାନୀ ଦ୍ୱାରା ଲୁଣ୍ଠିତ ଜମାକାରୀମାନେ ସେମାନଙ୍କ ସଞ୍ôଚତ ଧନ ଫେରିପାଇବା ଆଶାରେ ଚାହିଁ ବସିଥିବା ସମୟରେ ଶାସକ ବିଜୁ ଜନତା ଦଳ ସେମାନଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜିବା ପାଇଁ ପ୍ରୟାସ କରିଛି । ହଜାର ହଜାର କୋଟି ଟଙ୍କା ଠକି ନେଇଥିବା ଚିଟଫଣ୍ଡ କମ୍ପାନୀଗୁଡ଼ିକ ପାଇଁ ଓକିଲାତି କରୁଛନ୍ତି, ବି.ଜେ.ଡ଼ି ଲିଗାଲ ସେଲ୍ ମୁଖ୍ୟ ମିଲନ କାନୁନ୍ଗୋ । ଗୋଟିଏ ପଟେ ଜମାକାରୀଙ୍କ ଟଙ୍କା ଫେରାଇବାର ମିଛି ପ୍ରତିଶ୍ରୁତି ଦେଉଛନ୍ତି ମୁଖ୍ୟମନ୍ତ୍ରୀ, ଅନ୍ୟପଟେ ତାଙ୍କର ମୁଖ୍ୟ ଆଇନ କାର୍ପଟଦାର ମିଲନଙ୍କୁ ଲଗାଇ ଚିଟଫଣ୍ଡ ଲୁଟେରାଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି । ଏଭଳି ଅଭିଯୋଗ ଆଣି ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ‘ଜନ ଅଧିକାର ମଞ୍ଚ, ଓଡ଼ିଶା’ ତରଫରୁ ଏପ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ଜନ ଅଧିକାର ମଞ୍ଚର ଆବାହକ ସଂଗ୍ରାମ କିଶୋରଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିବାଦ ବିକ୍ଷୋଭରେ ଆଜି ଲୋୟର ପିଏମ୍ଜିଠାରେ ସଂଗଠନର ଶତାଧିକ କର୍ମକର୍ତ୍ତା ଓ କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀ ଉପସ୍ଥିତ ଥିଲେ । ୫ ଶହ କୋଟି ଠକିଥିବା ଏ.ଟି ଗ୍ରୁପ୍ ମୁଖ୍ୟ ପ୍ରଦୀପ ସେଠୀ, ୧୭ ହଜାର କୋଟି ଲୁଟିଥିବା ରୋଜ ଭ୍ୟାଲି ମୁଖ୍ୟ ଶ୍ରୀକାନ୍ତ ମୋହତା, ୯ ଶହ କୋଟି ଲୁଟିଥିବା ଗୋଲ୍ଡ଼େନ ଡ଼େଭଲପର୍ସ ମୁଖ୍ୟ ବିଜୟ ବର୍ମାଙ୍କୁ ବଞ୍ଚାଇବାକୁ ମିଲନ ସେମାନଙ୍କ ଓକିଲ ଭାବେ ଲଢି ତାଙ୍କ ସରକାରୀ ରକ୍ଷାକବଚ ସାଜିଥିବା ସଂଗ୍ରାମ ଅଭିଯୋଗ ଆଣିଛନ୍ତି । ବିଜେଡ଼ି ଡ଼ାହାଣୀ ହୋଇ ଲାଗି, ଗୁଣିଆ ହୋଇ ଝାଡ଼ିଲେ ଜମାକାରୀ କିଭଳି ତାଙ୍କ ଟଙ୍କା ଫେରିପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ପ୍ରତିବାଦ ସଭାରେ କୃଷକ ନେତା ଶୁଭେନ୍ଦୁ ମଲ୍ଲିକ (ସହ ଆବାହକ) ଯୋଗଦେଇ କହିଥିଲେ ଯେ, ଚିଟଫଣ୍ଡ ଟଙ୍କା ଫେରାଇବା ପାଇଁ ସରକାର ପ୍ରଥମେ ୩୦୦ କୋଟିର କର୍ପସ ଫଣ୍ଡ ଓ ଜଷ୍ଟିସ ପାତ୍ରଙ୍କ ନେତୃତ୍ୱରେ ଏକ କମିଶନ ଗଠନ କଲେ । ଗତ ୫ ବର୍ଷ ମଧ୍ୟରେ ୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜମାକାରୀ ମାତ୍ର ୮ କୋଟି ଟଙ୍କା ଫେରି ପାଇଛନ୍ତି । ଏଭଳି ସମୟରେ ମିଲନ କାନୁନଗୋ ଯଦି ଚିଟଫଣ୍ଡ ଲୁଟେରାଙ୍କ ଓକିଲ ହେବେ, ତେବେ ଜମାକାରୀଙ୍କ ପ୍ରତି ବିଜେଡ଼ି ଛଳନା କରୁଛି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିରଞ୍ଜନ ପ୍ରଧାନ, କାହ୍ନୁଚରଣ ବେହେରା, ସତ୍ୟପୀର ଚମ୍ପତ୍ତି, ଜୟନ୍ତ ତ୍ରିପାଠୀ, ବାନମ୍ବର ଚମ୍ପତ୍ତି, ପ୍ରସନ୍ନ ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ମିଲନ କାନୁନଗୋଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।


