ବିଜ୍ଞାନ ଆଲୋଚନା ଉପରେ ଆକ୍ରମଣ ନିହାତି ନିନ୍ଦନୀୟ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ମଙ୍ଗଳବାର ଚନ୍ଦ୍ରଗ୍ରହଣ ଦିନ ଜୟ ବିଜ୍ଞାନ ଅଭିଯାନ ପକ୍ଷରୁ ଲୋହିଆ ଏକାଡ଼େମୀ ସଭାକକ୍ଷରେ ସମାଜ ସଂସ୍କାରରେ ବିଜ୍ଞାନର ଭୂମିକା ଶୀର୍ଷକ ଆଲୋଚନା ଚାଲିଥିଲା ବେଳେ କିଛି ଅସାମାଜିକ ସଂଗଠନ ପକ୍ଷରୁ ଯେମିତି ଆକ୍ରମଣ କରାଗଲା, ତାହା ନିହାତି ନିନ୍ଦନୀୟ ଏବଂ ଏହାକୁ ସଭ୍ୟ ସମାଜ ଆଦୌ ବରଦାସ୍ତ କରିବ ନାହିଁ ବୋଲି ବିଜ୍ଞାନବିଶ୍ୱାସୀ ଏକାଧିକ ସଂଗଠନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।ଆମ ସମାଜ ବ୍ୟବସ୍ଥାରେ ରହିଥିବ ବିଭିନ୍ନ ଅପସଂସ୍କୃତି, ଅନ୍ଧବିଶ୍ୱାସ, କୁସଂସ୍କାର, ବିବିଧ ବୈଷମ୍ୟ ଓ ବିଲକ୍ଷଣ ବିରୋଧରେ ସାମାଜିକ ସଚେତନତା ଓ ବୈଜ୍ଞାନିକ ମାନସିକତାର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ପ୍ରଦାନ କରିବା ଲକ୍ଷ୍ୟରେ ଏକାଠି ହୋଇଥିବା ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜକର୍ମୀ ଓ ରାଜନେତାମାନେ ଏହି ମର୍ମରେ ମତପ୍ରକାଶ କରିଥିଲେ । ଜାତି ନାଁରେ, ଏପରିକି ମହିଳାଙ୍କ ବିରୋଧରେ ବହୁ କାଳରୁ ଚାଲି ଆସିଥିବା ଶୋଷଣ ଓ ଭେଦଭାବପୂର୍ଣ୍ଣ ପ୍ରଥା-ପରମ୍ପରାକୁ ସମାପ୍ତ କରି ବୈଜ୍ଞାନିକ ସିଦ୍ଧାନ୍ତ ଓ ଉପଲବ୍ଧି ଗୁଡ଼ିକ ଆଧାରରେ ଏକ ସମତା ଓ ମମତାପୂର୍ଣ୍ଣ ସମାଜ ଗଠନ ଆଜିର ଆବଶ୍ୟକତା ବୋଲି ମତପ୍ରକାଶ ପାଇଥିଲା । ଏହି ଆଲୋଚନା ସଭାଗୃହ ଭିତରେ ଚାଲିଥିବା ବେଳେ ଏବଂ କୌଣସି ନିର୍ଦ୍ଦିଷ୍ଟ ଧର୍ମ, ଜାତି, ଗୋଷ୍ଠୀ, ବ୍ୟକ୍ତି, ବିଶ୍ୱାସ କିମ୍ବା ସଂଗଠନ ବିରୋଧରେ ମତ କିମ୍ବା ମନ୍ତବ୍ୟ କେହି ନ ଦେଇଥିବା ସତ୍ତ୍ୱେ କିଛି ଅସାମାଜିକ ଯୁବକ ସଂଗଠିତ ହୋଇ ବିଭିନ୍ନ ଉତ୍ତେଜକ ସ୍ଲୋଗାନ ଦେଇ ପୋଲିସ୍ର ବାରଣ ସତ୍ତ୍ୱେ ପାଚେରୀ ଡେଇଁ ଗୃହ ଭିତରେ ଧଷେଇ ପଶିବା, ଅଶ୍ରାବ୍ୟ ଭାଷାରେ ବିଶେଷକରି ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ ଗୋବର ପ୍ୟାକେଟ ଓ ବଡ଼ ବଡ଼ ଢେଲା ପଥର ମାଡ଼ କରିଥିଲେ । କ୍ୟାମ୍ପସ ଭିତରେ ଥିବା ସମାଜକର୍ମୀମାନଙ୍କୁ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିବା ସହ ଜୀବନରୁ ମାରିଦେବାର ମିଳିତ ଉଦ୍ୟମ କରିଥିଲେ । ଏହି ଗୁଣ୍ଡା ଗ୍ୟାଙ୍ଗର ସଦସ୍ୟମାନେ ସଭାକକ୍ଷ ଚାରିପଟେ ଥିବା ସମସ୍ତ ଝରକାର କାଚ ଭାଙ୍ଗିଦେବା ସହ ଫୁଲକୁଣ୍ଡ ଓ ଗାଡ଼ିଗୁଡ଼ିକୁ ଭଙ୍ଗାରୁଜା କରିଥିଲେ । ଏପରିକି ସଭାକକ୍ଷ ଉପରକୁ ବୋମା ମାଡ଼ ମଧ୍ୟ କରିଥିଲେ । ସମ୍ବିଧାନର ଧାରା ୧୫ଏ (ଏଚ୍) ବୈଜ୍ଞାନିକ ବିଚାରର ପ୍ରଚାର ପ୍ରସାର ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ସେହି କାର୍ଯ୍ୟଧାରା ଉପରେ ଆକ୍ରମଣ ସମ୍ବିଧାନ ଉପରେ ମଧ୍ୟ ଆକ୍ରମଣ ଦର୍ଶାଇ ଏଭଳି ଶକ୍ତି ଓ ସଂଗଠନ ଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରାଯାଇଛି । ଏହି ମର୍ମରେ ମୂଳନିବାସୀ ସମତା ପରିଷତର ରାଜ୍ୟ ମୁଖ୍ୟ ଅଭିରାମ ମଲ୍ଲିକ, ଆମ୍ବେଦକର ଲୋହିଆ ବିଚାର ମଞ୍ଚର ସଭାପତି ସଂଗ୍ରାମ ମଲିକ, ଜାତୀୟ ଦଳିତ ମହାସଂଘର ସଭାପତି ଲିଟୁ ଦାସ, ଆମ ଅଧିକାର ଆବାହକ ଅମିୟ ପାଣ୍ଡବ ଓ ସାଧାରଣ ସମ୍ପାଦକ ଗଣେଶ ଦାଶ, ମୂଳ ନିବାସୀ ଛାତ୍ର ଯୁବ ସାମ୍ମୁଖ୍ୟ ସଭାପତି ବିଭ୍ରାନ୍ତ ବିଶ୍ୱଜିତ, ସମାଜବାଦୀ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡି, ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ସୁରେଶ କୁମାର ରାଉତରାୟ, ସିପିଏମ୍ ନେତା ପ୍ରଭାତ ପାଣିଗ୍ରାହୀ, ସିପିଏମ୍ଏଲ୍ (ରେଡ଼ଷ୍ଟାର)ନେତ୍ରୀ ପ୍ରମିଳ ବେହେରା, ମାନବାଧିକାର କର୍ମୀ ବାଘାମ୍ବର ପଟ୍ଟନାୟକ, ପ୍ରଫେସର ବିଜୟ ବହିଦାର, ସାମ୍ବଦିକ ସତୀଶ ମିଶ୍ର, ଦଳିତ ମୁକ୍ତି ଆନ୍ଦୋଳନର ସାଧାରଣ ସମ୍ପାଦକ ପ୍ରତାପ ସାହୁ, ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ, ହେତୁବାଦୀ ସଂଗଠକ ବିରଞ୍ôଚ ନାରାୟଣ ରାଉତ ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।