ବିଜ୍ଞାନ-ପ୍ରଯୁକ୍ତି-ସମାଜ ଓ ଜନବିଜ୍ଞାନ ଆନ୍ଦୋଳନର ଭୂମିକା’ ସମ୍ପର୍କରେ ଆଲୋଚନା ସଭା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ଜନ ବିଜ୍ଞାନ ମଞ୍ଚ ତରଫରୁ ‘ବିଜ୍ଞାନ-ପ୍ରଯୁକ୍ତି-ସମାଜ ଓ ଜନବିଜ୍ଞାନ ଆନ୍ଦୋଳନର ଭୂମିକା’ ଶୀର୍ଷକ ଏକ ଆଲୋଚନା ସଭା ଶନିବାର ଲୋହିଆ ଏକାଡ଼େମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ସଭାରେ ପଶ୍ଚିମବଙ୍ଗର ବିଶିଷ୍ଟ ଡାକ୍ତର ତଥା ଜନବିଜ୍ଞାନ ଆନ୍ଦୋଳନର ନେତା ଡ. ଫୁୟଦ ହଲିମ, ଭୁବନେଶ୍ୱର ପଦାର୍ଥ ବିଜ୍ଞାନ ସଂସ୍ଥାନର ପ୍ରଫେସର ବିଜୁ ରାଜ ଶେଖର ତଥା ବିଜ୍ଞାନ ଶିକ୍ଷକ ପ୍ରଫେସର ତାରିଣୀ ଚରଣ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୫୦ରୁ ଉର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥିଲେ ।ନିଜ ସମ୍ଭାଷଣରେ ଡ. ଫୁୟଦ ହଲିମ ସମାଜରେ ବୈଜ୍ଞାନିକ ଚେତନାର ପ୍ରସାରର ଆବଶ୍ୟକତା ଉପରେ ଜୋର ଦେଇ କହିଲେ ଯେ, ଦକ୍ଷିଣପନ୍ଥୀ ରାଜନୀତିର ପ୍ରଭାବରେ ସମାଜରୁ ବୈଜ୍ଞାନିକ ଚେତନାର ଅବକ୍ଷୟ ଘଟୁଛି । ସରକାରୀ ନୀତି ମାନଙ୍କରେ ଅଣ ବୈଜ୍ଞାନିକ ପରମ୍ପରା ଓ ବିଚାରକୁ ପ୍ରୋତ୍ସାହାନ ଦିଆଯାଉଛି । ନୂଆ ଶିକ୍ଷାନୀତି ଜରିଆରେ ଧର୍ମୀୟ ଓ କାଳ୍ପନିକ ପ୍ରତିକ୍ରିୟାବାଦୀ ବିଚାର ପାଠ୍ୟପୁସ୍ତକ ମାନଙ୍କରେ ଭର୍ତ୍ତି କରାଯାଉଛି । କରୋନା ସମୟରେ ଉପଯୁକ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଆୟୋଜନ ନକରି ଲୋକମାନଙ୍କୁ ଥାଳି ବାଡେଇ କରୋନା ଭଗେଇବାର ଉଦ୍ଭଟ ପ୍ରଚାର ସରକାର କରିଥିଲେ । ଏପରିକି କରୋନା ଦ୍ୱିତୀୟ ଲହରିକୁ ଅବହେଳା କରି ଲୋକଙ୍କ ସ୍ୱାସ୍ଥ୍ୟକୁ ସଙ୍କଟରେ ପକାଇଥିଲେ । ଡ. ହଲିମ କହିଲେ ଯେ, ବୈଜ୍ଞାନିକ ଗବେଷଣା ପାଇଁ ବଜେଟରେ ଏକ କ୍ଷୁଦ୍ର ଅଂଶ ହିଁ ଖର୍ଚ୍ଚ ହେଉଥିବାବେଳେ ଏହି ଖର୍ଚ୍ଚର ଏକ ବଡ଼ ଅଂଶ ଧନୀକ ଶ୍ରେଣୀ ଓ ପୁଞ୍ଜିପତି ବର୍ଗର ସ୍ୱାର୍ଥରେ ଖର୍ଚ୍ଚ ହେଉଛି । ଉଦାହରଣ ସ୍ୱରୂପ ଭାରତବର୍ଷରେ ୯୦ ଶତକଡ଼ା ସ୍ୱାସ୍ଥ୍ୟ ସମସ୍ୟା ଯେଉଁଥିପାଇଁ ଲୋକଙ୍କୁ ଡ଼ାକ୍ତରଖାନା ଯିବାକୁ ପଡ଼ିଥାଏ ତାହା ଉଷ୍ମଅଞ୍ଚଳ ସଂକ୍ରାମକ ରୋଗ ହୋଇଥିଲା ବେଳେ ସେଥିପାଇଁ ଡ଼ାକ୍ତରୀ ଶିକ୍ଷାରେ କେବଳ ୮ଟି ସିଟ ପୁରା ଭାରତବର୍ଷରେ ଅଛି । ଅଥଚ କେବଳ ହୃଦରୋଗ ଶିକ୍ଷା ପାଇଁ ୫୦୦ରୁ ଅଧିକ ସିଟ୍ ଅଛି । ଏହା ଡାକ୍ତରୀ ଶିକ୍ଷାରେ ଅଣ ବୈଜ୍ଞାନିକ ଚେତନାର ପ୍ରତିଫଳ ବୋଲି ସେ କହିଥିଲେ । ପ୍ରଫେସର ବିଜୁ ରାଜ ଶେଖର ବୈଜ୍ଞାନିକ ଚେତନାର ବିଭିିନ୍ନ ଦିଗ ଉପରେ ଚର୍ଚ୍ଚା କରି ଏହାକୁ ଏକ ସାମାଜିକ ବିଷୟ ବୋଲି ବ୍ୟାଖ୍ୟା କରିଥିଲେ । ପ୍ରଫେସର ତାରିଣୀ ତ୍ରିପାଠୀ ବୈଜ୍ଞାନିକ ଚେତନାକୁ ଏକ ଗଣ ଆନ୍ଦୋଳନର ରୂପ ଦେବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ ।ଆଲୋଚନା ସଭାର ଅଧ୍ୟକ୍ଷ ଡ. ଶିବ ଶଙ୍କର ମହନ୍ତି ଚର୍ଚ୍ଚାକୁ ସମାପନ କରିଥିଲେ ଏବଂ ଆଗାମୀ ଦିନରେ ଜିଲ୍ଲା ଓ ଗ୍ରାମସ୍ତରରେ ବୈଜ୍ଞାନିକ ଚେତନାର ବିକାଶ ପାଇଁ ଓ କୁସଂସ୍କାର ବିରୁଦ୍ଧରେ ସାଧାରଣ ଜନତାଙ୍କୁ ଏକତ୍ରିତ କରିବାର ଆହ୍ୱାନ ଦେଇଥିଲେ ।


