ବିଜୟୀ ବିଧାୟକ ପ୍ରାର୍ଥୀଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା
ଆନନ୍ଦପୁର(ଆପ୍ର): ସରିଯାଇଛି ୨୦୧୯ ସାଧାରଣ ନିର୍ବାଚନ । ଏହି ନିର୍ବାଚନରେ ଓଡ଼ିଶାରେ ଅଭୁତପୂର୍ବ ସଫଳତା ଅର୍ଜନ କରିଛି ବିଜୁ ଜନତା ଦଳ । କେନ୍ଦୁଝର ଜିଲ୍ଲାରେ ସଫଳତାହାର ବିଜେଡିର କମ ଅଧିକ ରହିଥିବା ବେଳେ ୬ଟି ବିଧାନସଭା ଆସନ ମଧ୍ୟରୁ ବିଜେଡିକୁ ମିଳିଛି ୫ଟି ଆସନ ଏବଂ ସଂସଦୀୟ କ୍ଷେତ୍ର ମଧ୍ୟ ବିଜେଡି ଅକ୍ତିଆରକୁ ଆସିଛି । ଏହି କ୍ରମରେ ଅତିସମ୍ବେଦନଶୀଳ ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳିରେ ବିଜେଡି ମଧ୍ୟ ତାର ବିଜୟରଧାରା ବଜାୟ ରଖିଛି । ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲ୍ଲାର ଉଭୟ ଆନନ୍ଦପୁର ଓ ଘସିପୁରା ନିର୍ବାଚନମଣ୍ଡଳୀର ବିଜୟୀ ବିଧାୟକ ବିଜେଡିର ଭାଗିରଥି ସେଠୀ ଓ ବଦ୍ରି ନାରାୟଣ ପାତ୍ରଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଉଭୟ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବା ବେଳେ ଉତ୍ସବ ମଧ୍ୟ ପାଳନ କରାଯାଇଛି । ରାଜ୍ୟରେ ବିଜେଡି ଦଳ ସର୍ବାଧିକ ୧୧୨ଟି ଆସନ ଅଳଙ୍କୃତ କରି ସରକାର ଗଠନ କରିବାକୁ ସ୍ଥିର ହୋଇଥିବା ବେଳେ ଆନନ୍ଦପୁର ଓ ଘସିପୁରା ବିଧାନସଭା ଆସନରେ ବିଜେଡି ବିଧାୟକ ବିଜୟୀ ହୋଇଛନ୍ତି । ଘସିପୁରା-୨୧ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୩୨୬୮୮ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ସେହିଭଳି ଆନନ୍ଦପୁରର ବିଜେଡି ପ୍ରାର୍ଥୀ ଭାଗିରଥି ସେଠୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସର ଜୟଦେବ ଯେନାଙ୍କୁ ୪୪୧୯୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ଭାବେ ଭାଗିରଥି ସେଠୀ ପୂର୍ବ ନିର୍ବାଚନ ତୁଳନାରେ ଚଳିତ ଥର କଂଗ୍ରେସ ଠାରୁ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେହିଭଳି ଘସିପୁରା ନିର୍ବାଚନମଣ୍ଡଳିରେ ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର ନିଜର ପାରମ୍ପାରିକ ପ୍ରତିଦ୍ୱନ୍ଦି ନିରଞ୍ଜନ ପଟ୍ଟନାୟକଙ୍କ ଠାରୁ ପୂର୍ବ ନିର୍ବାଚନ ତୁଳନାରେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଭାଗିରଥି ସେଠୀ ପ୍ରକାଶ କରିଛନ୍ତି । ସେହିପରି ଘସିପୁରା ନିର୍ବାଚନମଣ୍ଡଳିର ଭାଇଭଉଣୀଙ୍କ ଭରସା ଓ ଦଳର ମୁଖିଆଙ୍କ ଲୋକପ୍ରିୟତା ପାଇଁ ଚଳିତ ନିର୍ବାଚନରେ ମୁଁ ପୁନର୍ବାର ଭଲ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର କହିଛନ୍ତି ।