ବିଜୟ ମହାନ୍ତିଙ୍କ ବିୟୋଗରେ ଜନ୍ମମାଟି କେନ୍ଦ୍ରାପଡାରେ ଶୋକରଛାୟା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିଶିଷ୍ଟ ଓଡିଆ ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ତାଙ୍କ ଜନ୍ମମାଟି କେନ୍ଦ୍ରାପଡାରେ ଶୋକରଛାୟା ଖେଳିଯାଇଛି । ଆଜି ୭୦ବର୍ଷ ବୟସରେ ଭୂବନେଶ୍ୱରସ୍ଥିତ ଏକ ବେସରକାରୀ ହସପିଟାଲରେ ଓଡିଆ ଚଳଚିତ୍ର ଜଗତର ଶ୍ରେଷ୍ଠ ଅଭିନେତା ବିଜୟଙ୍କ ପରଲୋକ ହୋଇଯାଇଛି । ଅଭିନେତା ବିଜୟ ୧୯୫୦ ମସିହା ଅପ୍ରେଲମାସ ୧୨ତାରିଖରେ କେନ୍ଦ୍ରାପଡାର ପାଣ୍ଡିରୀ ଗ୍ରାମରେ ପିତା ଆଦିକନ୍ଦ ମହାନ୍ତି ଓ ମାତା ଶାନ୍ତିଲତା ମହାନ୍ତିଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ । ପରେ ପିତାଙ୍କ ଚାକିରୀ ସ୍ଥାନ ମୟୁରଭଞ୍ଜ ଜିଲ୍ଲାର ବାରିପଦାରେ ଶିକ୍ଷା ଆରମ୍ଭ କରି ଏମ.କେ.ସି. ହାଇସ୍କୁଲରେ ପଢିଥିଲେ । ସେହି ହାଇସ୍କୁଲରେ ହିଁ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟ ଜୀବନ । ସ୍ନାତକ ଶିକ୍ଷା ସମାପ୍ତ ପରେ ବିଜୟ ନାସନାଲ ସ୍କୁଲ ଅଫ ଡ୍ରାମାରେ ଶିକ୍ଷା ଆରମ୍ଭ କରିଥିଲେ । ଏହି ସମୟରେ ବିଜୟଙ୍କ ସହିତ ନସିରୁଦ୍ଦିନ ଶାହା, ରାଜ ବାବର ଓ ଓମ ପୁରୀଙ୍କ ଭଳି ହିନ୍ଦି ଚଳଚିତ୍ର ଜଗତର ବିଶିଷ୍ଟ ଅଭିନେତାମାନେ ଶିକ୍ଷାଲାଭ କରୁଥିଲେ । ସେଠାରୁ ଶିକ୍ଷା ସମାପ୍ତ କରିବା ପରେ ସେ ୧୯୭୫ ମସିହା ପର୍ଯ୍ୟନ୍ତ ଦିଲ୍ଲୀରେ ଅବସ୍ଥାନ କରିବା ପରେ ଓଡିଶାକୁ ଫେରି ୧୯୭୭ ମସିହାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗଦେଇ ସେଠାରୁ ପ୍ରଫେସର ଭାବରେ ଅବସର ନେଇଥିଲେ ବିଜୟ । ୧୯୭୭ ମସିହାରେ ଓଡିଆ ଚଳଚିତ୍ର “ଚିଲିକା ତୀରେ”ରେ ବିଜୟ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚିତ୍ରରେ ସେ ଜାତୀୟ ଚଳଚିତ୍ର ପୁରସ୍କାର ପାଇଥିଲେ । ତାଙ୍କ ଅଭିନୀତ ଓଡିଆ ଚଳଚିତ୍ର ମଧ୍ୟରେ ନାଗଫାସ, ସମୟ ବଡ ବଳବାନ,ଦଣ୍ଡା ବାଳୁଙ୍ଗା, ସହରୀ ବାଘ,ଚକା ଭଉଁରୀ,ଚକା ଆଖି ସବୁ ଦେଖୁଛି ପ୍ରଭୃତି ଅନ୍ୟତମ । ନାୟକ, ଖଳନାୟକ, ପାଶ୍ୱର୍ ନାୟକ ଓ ହାସ୍ୟଅଭିନେତା ଭାବରେ ବିଜୟ ବହୁ ଚଳଚିତ୍ରରେ ତାଙ୍କ ଅଭିନୟର ନିଖୁଣ ଛାପ ଛାଡିଯାଇଛନ୍ତି । ଆରତୀ, ମମତା ମାଗେ ମୂଲ, ଏଇ ଆମ ସଂସାର,ଆମ ଘର ଆମ ସଂସାର, କି ହେବ ଶୁଆ ପୋଶିଲେ, ଭାଇ ହେଲା ଭଗାରୀ, ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ରାଖି ଭିଜିଗଲା ଆଖି ଲୁହରେ,ଭୀଷ୍ମ ପ୍ରତିଜ୍ଞା, ଲଭ ମାଇଁ ଇଣ୍ଡିଆ ପ୍ରଭୃତି ଚଳଚିତ୍ର ଗୁଡିକ ଅଭିନୟ କ୍ଷେତ୍ରରେ ବହୁ ସଫଳତା ଦେଇଥିଲା ତାଙ୍କୁ । ୨୦୧୪ରେ ଓଡିଶାର ଜୟଦେବ ପୁରସ୍କାର ପାଇଥିବା ବିଜୟ କଳା ଓ ସଂସ୍କୃତି କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ଜାତୀୟ ପୁରସ୍କାର ପାଇଥିଲେ । ୬ଥର ଓଡିଶା ରାଜ୍ୟ ପୁରସ୍କାର ପାଇଥିବା ବିଜୟ ୧୯୮୧ରେ ଆରତୀ ଚଳଚିତ୍ର ପାଇଁ,୧୯୮୫ରେ ମମତା ମାଗେ ମୂଲ, ୧୯୮୬ରେ ଏଇ ଆମ ସଂସାର, ୧୯୯୧ରେ ଆମ ଘର ଆମ ସଂସାର, ୧୯୯୩ରେ ଭୀଷ୍ମ ପ୍ରତିଜ୍ଞା, ୧୯୯୪ରେ ଭାଇ ହେଲା ଭଗାରୀ ଚଳଚିତ୍ରରେ ଶ୍ରେଷ୍ଠ ଅଭିନୟ ପାଇଁ ପୁରସ୍କୃତ ହୋଇଥିବା ବିଜୟ ୧୯୮୭ ମସିହାରେ ସର୍ବଶ୍ରେଷ୍ଠ ଚିତ୍ରାଭିନେତା ଭାବେ ଓଡିଶା ସିନେକ୍ରିଟିକ୍ସ ପୁରସ୍କାର ପାଇଥିଲୋ । ୧୮୦ରୁ ଉର୍ଦ୍ଧ୍ୱ ଚଳଚିତ୍ରରେ ଅଭିନୟ କରିଥିବା ଅଭିନେତା ବିଜୟ ଏକାଧାରରେ ଜଣେ ଅଭିନେତା,ନିର୍ଦେଶକ ଓ କଳାକାର ଥିଲେ । ତାଙ୍କ ରାଜନୀତି କ୍ୟାରିଅରରେ ୨୦୧୪ ମସିହା ଫେବୃୟାରୀ ୨୭ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ଭୂବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଲଢି ପରାଜୟ ବରଣ କରିଥିଲେ । ନିକଟରେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ବିଜୟଙ୍କ ବିୟୋଗ ଚଳଚିତ୍ର ଜଗତ ପାଇଁ ଏକ ଅପୁରଣୀୟ କ୍ଷତି । ୪ଦସନ୍ଧି ଧରି ସେ ଓଲିଉଡର ଅଭିନୟ ଜଗତରେ ଛାଇଯାଇଥିଲେ ଅଭିନୟର ଜାଦୁକାରୀ ଭିତରେ । କେନ୍ଦ୍ରାପଡାରେ ଅଭିନେତା ବିଜୟଙ୍କ ବିୟୋଗ ଖବର ପହଁଚିବା ପରେ ଜନ୍ମମାଟି ପାଣ୍ଡିରୀ ସମେତ ସାରା ଜିଲ୍ଲାରେ ଗଭୀର ଶୋକର ଛାୟା ଖେଳିଯାଇଛି । ସମସ୍ତେ ମ୍ରୀୟମାଣ ହୋଇପଡିଛନ୍ତି ବିଜୟଙ୍କ ବିୟୋଗରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ