ବିଟିସିସି ସହାୟତା ପ୍ରଦାନ କଲେ ଫୋନୀ ପୀଡିତାଙ୍କୁ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍ର): ଫୋନୀ ବାତ୍ୟାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତି ଭରଣା ପାଇଁ ସମ୍ପ୍ରତି ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ ଜାରି ରହିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିଗତ ଭାବେ ମଧ୍ୟ ସାହାଯ୍ୟ ସହଯୋଗ ପ୍ରଦାନ ଚାଲିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଟ୍ରାନ୍ସପୋର୍ଟ୍ସ କୋର୍ଡିନେଟର କମିଟି (ବିଟିସିସି) ପକ୍ଷରୁ ଆଜି ୧ ଲକ୍ଷ ଟଙ୍କାର ସହାୟତା ରାଶି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି । ସଂଗଠନର ସଭାପତି କିଶୋର ଚନ୍ଦ୍ର ମିଶ୍ର, ସମ୍ପାଦକ ନରେନ୍ଦ୍ର ବିହାରୀ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ସାକ୍ଷାତ ସହ ଏହି ରାଶି ପ୍ରଦାନ କରିଥିଲେ । ବାତ୍ୟା ପ୍ରପୀଡିତଙ୍କ ପ୍ରତି ସମବେଦନା ଜଣାଇବା ସହ ସେମାନଙ୍କ ପୁନର୍ବସତି ପାଇଁ ସବୁ ନହଲରୁ ସହଯୋଗର ହାତ ବଢାଇବାକୁ ସମ୍ପାଦକ ଶ୍ରୀ ଦାସ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲାପାଳଙ୍କୁ ଚେକ୍ ପ୍ରଦାନ ବେଳେ ରଞ୍ଜନ କୁମାର କର, ରତିକାନ୍ତ ଦାସ, ବରୁଣ କୁମାର ବେହେରା, ଅଜୟ ପ୍ରଧାନ, ସୁରେଶ ଜେନା, ହରିଶ ପ୍ରଧାନ ପ୍ରମୁଖଙ୍କ ସମେତ ବିଟିସିସିର ବହୁ ସଦସ୍ୟ ଉପସ୍ଥିତ ଥିଲେ । ଏହି ସହାୟତା ଗ୍ରହଣ ପୂର୍ବକ ଜିଲ୍ଲାପାଳ ଶ୍ରୀ ରାଉତ ସଂଗଠନର କର୍ମକର୍ତ୍ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ସହାୟତା ଅନ୍ୟମାନଙ୍କୁ ବେଶ ପ୍ରେରଣା ଦେବ ବୋଲି ସେ କହିଥିଲେ । ପରେ ବିଟିସିସିର କର୍ମକର୍ତ୍ତା ଓ ସଦସ୍ୟମାନେ ରେମୁଣା ଗୋଲେଇରେ ସିସିଟିଭି ସ୍ଥାପନ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବି ଯୁଗଳ କିଶୋର କୁମାରଙ୍କୁ ପ୍ରଦାନ କରିଥିଲେ । ପୂର୍ବ ନିଷ୍ପତି ଅନୁସାରେ ଏହି ଅର୍ଥ ଜିଲ୍ଲା ପୋଲିସକୁ ପ୍ରଦାନ କରାଯାଇଥିବା ବେଳେ ରେମୁଣା ଗୋଲେଇ ଅଞ୍ଚଳରେ ଟ୍ରାଫିକ୍ ବ୍ୟବସ୍ଥା ସହ ଆଇନ ଶୃଙ୍ଖଳା ନିୟନ୍ତ୍ରଣରେ ସହାୟକ ହେବ ବୋଲି ସଂଗଠନର ସମ୍ପାଦକ ଶ୍ରୀ ଦାସ କହିଥିଲେ । ବିଟିସିସି ଆଗାମୀ ଦିନରେ ମଧ୍ୟ ଏହିଭଳି ଗଠନମୂଳକ କାର୍ଯ୍ୟରେ ନିଜର ସହଯୋଗ ଜାରି ରଖିବ ବୋଲି ସେ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ