ବିଟ୍ସ ମ୍ୟାନେଜମେଣ୍ଟ କଲେଜ ମହିଳା ଶାଖା ପକ୍ଷରୁ ଏନଏସଏସ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) : ବିଟ୍ସ ମ୍ୟାନେଜମେଣ୍ଟ ମହାବିଦ୍ୟାଳୟ ମହିଳା ଏନଏସଏସ ଶାଖା ପକ୍ଷରୁ ପୌଷ୍ୟଗ୍ରାମ ସୁତେଇରେ ସଫେଇ ସାଙ୍ଗକୁ ସ୍ୱଚ୍ଛତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୧୫ ତାରିଖଠାରୁ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ । ମହାବିଦ୍ୟାଳୟର ନିର୍ଦ୍ଦେଶକ ନିର୍ମଳ ଚନ୍ଦ୍ର ଧଳ ଏହାକୁ ଉଦଘାଟନ କରିଥିଲେ । ଶିକ୍ଷାନୁଷ୍ଠାନ ପକ୍ଷରୁ ବିନତା ପାଣି, ଡ. ଧୀରେନ୍ଦ୍ର ଜେନା, ରଶ୍ମିରେଖା ବେହେରା ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ଓ ସମାଜସେବୀ ଜୟନ୍ତୀ ବାରିକ ପ୍ରମୁଖ ଏହି ଉଦଘାଟନ ଉତ୍ସବରେ ଉପସ୍ଥିତ ଥିଲେ । ସୂତେଇ ଓ ଆଖପାଖ ଅଞ୍ଚଳରେ ସଫେଇ କାର୍ଯ୍ୟ ଏବେ ଜାରି ରହିଥିବା ବେଳେ ଶିବିରରେ ଗ୍ରାମବାସୀଙ୍କୁ ଯୋଗଶିକ୍ଷା ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନତ କରାଯାଉଛି । ପ୍ରତ୍ୟେହ ସ୍ଥାନୀୟ ସମାଜସବେୀ, ରାଜନେତା, ସାମାଜିକ କର୍ମୀ ଶିବିରରେ ଅତିଥି ଓ ବକ୍ତାଭାବେ ଯୋଗ ଦେଉଛନ୍ତି । ସୋମବାର ବାଲେଶ୍ୱର ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ନିରଞ୍ଜନ ପରିଡ଼ା ଯୋଗଦେଇ ଜନସାଧାରଣଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ସମ୍ପର୍କରେ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଶିବିରାର୍ଥୀମାନଙ୍କୁ ମହିଳା ଓ ଶିଶୁଙ୍କ ଆଇନଗତ ଅଧିକାର ଉପରେ ସଚେତନ କରାଇଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ରଶ୍ମିରେଖା ବେହେରା ସଂଚାଳନ କରିଥିବା ବେଳେ ପ୍ରୋଗ୍ରାମ ଅଫିସର ଡ. ଅମୂଲ୍ୟ ଆଚାର୍ଯ୍ୟ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।