ବିଡିଓଙ୍କ ନାମରେ ମାମଲା ରୁଜୁ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ବିଡିଓଙ୍କ ନାମରେ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି । ସଂପୃକ୍ତ ବିଡିଓ ଜଣକ ଭୀମସେନ୍ ସେଠୀ ନାମକ ଜଣେ ସାମ୍ବାଦିକଙ୍କୁ ତାଙ୍କ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛ । ଏତଲାକାରୀ ଶ୍ରୀ ସେଠୀ ଏତଲାରେ ଦର୍ଶାଇଛନ୍ତି ଯେ ସେ ଗତ ଦୁଇ ବର୍ଷ ହେବ କେନ୍ଦ୍ରାପଡ଼ା ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି । ସଂପୃକ୍ତ ବ୍ଲକରେ ବିଭିନ୍ନ ପ୍ରକାରର ଦୁର୍ନୀତି ହେଉଥିବା ଖବରକୁ ନେଇ ସେ ତାଙ୍କ ଖବରକାଗଜରେ ଖବର ପ୍ରକାଶ କରିଥିଲେ । ଅନୁରୂପ ଅଭିଯୋଗ ବିଡିଓଙ୍କ ନାମରେ ଆସିବାରୁ ସେ ମତାମତ ସଂଗ୍ରହ କରିବା ପାଇଁ ଗତ ଶୁକ୍ରବାର ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ହେଲେ ବିଡିଓ ତାଙ୍କ ଜାତିକୁ ନେଇ ଅସାମ୍ବିଧାନିକ ଭାଷାରେ ଗାଳିଗୁଲଜ କରିଥିଲେ । ଏହାସହ ତାଙ୍କୁ ଅପହରଣ କରି ନେଇଯିବେ ବୋଲି ଧମକ ମଧ୍ୟ ଦେଇଥିଲେ । ସେ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଧକ୍କା ଦେଇଥିଲେ ବୋଲି ଶ୍ରୀ ସେଠୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ଏହି ଅଭିଯୋଗ ହେବା ପରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏ ସଂକ୍ରାନ୍ତରେ ବିଡିଓଙ୍କ ପ୍ରତିକ୍ରିୟା ନେବା ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା ।