ବିଡିଓଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି ପିଇଓ, ମରୈଗାଁ ପଞ୍ଚାୟତରେ ଅଚଳାବସ୍ଥା
ହାଟଡ଼ିହି, (ବିକାଶ ବିଶ୍ୱାଳ):ବିଡିଓଙ୍କ ନିର୍ଦ୍ଦେଶକୁ ପିଇଓ ମାନୁ ନଥିବାରୁ ମୈଗାଁ ପଞ୍ଚାୟତରେ ଅଚଳାବସ୍ଥା ଦେଖା ଦେଇଛି । ମରୈଗାଁ ପଞ୍ଚାୟତରେ ଦୀର୍ଘ ୬ବର୍ଷରୁ ଉର୍ଦ୍ଧ ସମୟ ଧରି ପିଇଓ ଭାବେ ହରିହର ସେଠୀ ଦାୟିତ୍ୱ ନିର୍ବାହ କରୁଥିବାବେଳେ ଏହି ପଞ୍ଚାୟତରେ ମନରେଗା ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ ବ୍ୟାପକ ଦୁର୍ନୀତି ହୋିଥିଲା । ଏପରିକି ସରପଞ୍ଚ ଓ ପିଇଓ ଦୁହେଁ ୭ଲକ୍ଷରୁ ଉର୍ଦ୍ଧ ଟଙ୍କା ଆଗ୍ରୀମ ଉଠାଇ ନେଇଥିଲେବି ଆଜି ପର୍ଯ୍ୟନ୍ତ ତାହାକୁ ସରକାରୀ ତହବିଲରେ ଜମା କରି ନାହାନ୍ତି । ଏନେଇ ସରକାରୀ ଭାବେ ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଥିଲେ ବି ଉକ୍ତ ପିଇଓ କିମ୍ବା ସରପଞ୍ଚଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଏବେ କିଛି ପଞ୍ଚାୟତରେ ପିଇଓଙ୍କ ଅଭାବକୁ ଆଖି ଆଗରେ ରଖି ବିଡିଓଙ୍କ ଆଦେଶ ନଂ-୩୭୯୪ ତା ୧୭/୧୧/୨୦୨୨ରେ ମରୈଗାଁ ପଞ୍ଚାୟତର ପିଇଓ ହରିହର ସେଠୀଙ୍କୁ ଏହି ପଞ୍ଚାୟତରୁ ବଦଳି କରାଯାଇ ପଢ଼ିଆରିପଲ୍ଲୀ, ବାଲିବରେଇ, ସୋସୋ ଆଦି ତିନୋଟି ପଞ୍ଚାୟତର ପିଇଓ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବ୍ଲକରେ ଅବସ୍ଥାପିତ ଥିବା ପିଇଓ ଚିନ୍ତାମଣୀ ଦାସଙ୍କୁ ମରୈଗାଁ ପଞ୍ଚାୟତର ପିଇଓ ଭାବେ ନିଯୁକ୍ତି ଦିଆଯାଇଥିଲା । ସେହି ସମାନ ଚିଠିରେ ବ୍ଲକର ୬ଜଣ ପିଇଓଙ୍କୁ ଭିନ୍ନ ଭିନ୍ନ ପଞ୍ଚାୟତକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ପିଇଓ ମାନେ ସେମାନଙ୍କ ପଞ୍ଚାୟତକୁ ଯାଇ କାର୍ଯ୍ୟଭାର ଗ୍ରହଣ କରି ସାରିଥିବା ବେଳେ ହରିହର ସେଠୀ ମରୈଗାଁ ପଞ୍ଚାୟତର ନବ ନିଯୁକ୍ତ ପିଇଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁ ନାହାନ୍ତି । ପିିଇଓ ଚିନ୍ତାମଣି ଦାଶ ତିନି ଚାରିଥର ପଞ୍ଚାୟତ କାର୍ଯ୍ୟାଳୟକୁ ଚାର୍ଜ ନେବାକୁ ଯାଇଥିଲେବି ପୁର୍ବତନ ପିଇଓ ଉପସ୍ଥିତ ରହୁ ନଥିବାରୁ ଫେରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ପଞ୍ଚାୟତରେ ଅନେକ କାର୍ଯ୍ୟରେ ବାଧା ଉପୁଜିଛି । ଏନେଇ ବିଡିଓ ପିଇଓ ହରିହର ସେଠୀଙ୍କୁ ତାଗିଦା କରିଛନ୍ତି । ଏ ସମ୍ପର୍କରେ ପିଇଓ ହରିହର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଚିଠି ୧୭ତାରିଖରେ ହୋଇଛି । ତାହା ହ୍ୱାଟସଆପ ରେ ପଠାଇଥିଲେ । ମୁଁ ଦେଖି ନଥିଲି, ତିନିଦିନ ତଳେ ଚିଠି ସମ୍ପର୍କରେ ଜାଣିବାକୁ ପାଇବାପରେ ରେକର୍ଡପତ୍ର ଠିକ କରୁଛି, ଦିନେ କି ଦୁଇଦିନ ଭିତରେ ଚାର୍ଜ ହସ୍ତାନ୍ତର କରିବି ବୋଲି କହିଛନ୍ତି ।


