ବିଡିଓ ସିଟ୍କୁ ନେଇ ରାଜନୀତି ଜୋରଦାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ବିଡିଓଙ୍କ ସିଟ୍ ଦଖଲକୁ ନେଇ ରାଜନୀତି ସରଗରମ ହୋଇ ଉଠିଛି । ବଦଳି ହୋଇଥିବା ବିଡିଓ ନୂତନ ବିଡିଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ନାହାନ୍ତି । ସେ ଅପରାହ୍ନରେ ଖାଇବାକୁ ଯାଇଥିବା ବେଳେ ତାଙ୍କ ସିଟ୍ରେ କଟକରୁ କେନ୍ଦ୍ରାପଡ଼ାକୁ ବଦଳି ହୋଇ ଆସିଥିବା ଜଣେ ନୂତନ ମହିଳା ଅଧିକାରୀ ବସିଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ରାଜନୀତି ସରଗରମ ହୋଇ ପଡିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ରାଜନୈତିକ ଗୋଷ୍ଠୀ ଛକାପଞ୍ଝାରେ ଅଛନ୍ତି । ଶାସକ ଦଳର ୨ଟି ଗୋଷ୍ଠି ମଧ୍ୟରୁ ଗୋଟିଏ ଗୋଷ୍ଠୀ ବିଡିଓ ଅଶ୍ୱିନୀ ଦାସଙ୍କୁ ବଦଳି କରିଥିବା ବାହାବା ନେଉଥିବା ବେଳେ ଶାସକ ଦଳର ଅନ୍ୟ ଗୋଷ୍ଠି ସମେତ ବିରୋଧୀ କଂଗ୍ରେସ ଗୋଷ୍ଠୀ ମଧ୍ୟ ବିଡିଓ କିପରି ଏଠାରୁ ନଯିବେ ସେ ନେଇ ଯୋଜନା କରୁଛି । ଏପରିକି ଦୁଇଦିନ ତଳେ ଶାସକ ଦଳର ଗୋଟିଏ ଗୋଷ୍ଟି ସମେତ କଂଗ୍ରେସ ସମଥିତ ସରପଞ୍ଚ ଓ ସମିତିସଭ୍ୟମାନେ ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ବଦଳି ବାତିଲ କରିବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ । ହେଲେ ଗୁରୁବାର ମଧ୍ୟାହ୍ଣରେ ବିଡିଓ ଅଶ୍ୱିନୀ କୁମାର ଦାସ ଖାଇବାକୁ ଯାଇଥିବା ବେଳେ ତାଙ୍କ ସିଟ୍ରେ ନୂତନ ବିଡିଓ ଭାବେ ଯୋଗଦେବାକୁ ଆସିଥିବା ବନ୍ଦନା ଖଟୁଆ ବସିଯାଇଥିବାର ଦେଖିବାକୁ ମିଳିଛି । ବିଡିଓ ଶ୍ରୀ ଦାସ ଖାଇ ସାରି ତାଙ୍କ କାର୍ଯ୍ୟାଳୟକୁ ଆସିବା ବେଳେ ଯାଣିବାକୁ ପାଇଥିଲେ ଯେ କେନ୍ଦ୍ରାପଡ଼ାକୁ ବଦଳି ହୋଇଥିବା ବନ୍ଦନା ଖଟୁଆ ତାଙ୍କ ସିଟ୍ରେ ବସି ଯାଇଛନ୍ତି । ତେଣୁ ସେ କ’ଣ କରିବେ କିଛି ଚିନ୍ତା କରି ପାରିଲେ ନାହିଁ । ନିୟମ ଅନୁଯାୟୀ ନୂତନ ଭାବେ ଯେଉଁ ଅଧିକାରୀ ଯୋଗ ଦିଅନ୍ତି ତାଙ୍କୁ ସେ ସ୍ଥାନରେ ଥିବା ଅଧିକାରୀ ଦାୟିତ୍ୱ ହସ୍ତାନ୍ତର କରନ୍ତି । ଏହାପରେ ନୂତନ ଭାବେ ଯୋଗ ଦେଇଥିବା ଅଧିକାରୀ ସିଟ୍ରେ ବସିଥାନ୍ତି । ଯଦି ପୂର୍ବ ଅଧିକାରୀ ପୂର୍ବରୁ ଅନ୍ୟ ବଦଳି ସ୍ଥାନକୁ ଚାଲି ଯାଇଥାନ୍ତି ତାହା ହେଲେ ସେ ଅତିରିକ୍ତ ବିଡିଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ଯାଇଥାନ୍ତି । ଯିଏ ବିଡିଓ ଦାୟିତ୍ୱରେ ଥାନ୍ତି ସେ ନୂତନ ବିଡିଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥାନ୍ତି । ହେଲେ ଗୁରୁବାର କେନ୍ଦ୍ରାପଡ଼ା ବ୍ଲକରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି ହୋଇଛି । ନୂଆ ବିଡିଓଙ୍କୁ ଶାସକ ଦଳର ଗୋଟିଏ ଗୋଷ୍ଠୀ ସମର୍ଥନ କରୁଥିବା ବେଳେ ଶାସକ ଦଳର ଅନ୍ୟ ଗୋଷ୍ଟି ସମେତ ଅନ୍ୟ ରାଜନୈତିକ ଦଳର ଜନପ୍ରତିନିଧିମାନେ ଏହାକୁ ବିରୋଧ କରିଛନ୍ତି । ରାଜ୍ୟ ସରପଞ୍ଚ ମହାସଂଘର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା କହିଛନ୍ତି ଯେ ବ୍ଲକରେ ଆଜି ଯାହା ଘଟିଲା ତାହା ଅତ୍ୟନ୍ତ ଅସୌଜନ୍ୟମୂଳକ ଘଟଣା । ଜଣେ ବିଡିଓ ଭାରମୁକ୍ତ ନହୋଇ ଖାଇବାକୁ ଯାଇଥିବା ବେଳେ ତାଙ୍କ ସିଟ୍ରେ ଅନ୍ୟ ଜଣେ ଅଧିକାରୀ ବସିଯିବା ଆଦୈା ଉଚିତ ନୁହେଁ । ତାହା ଅସ୍ୱାଭାବିକ କଥା । ତେଣୁ ଆମେ ଏଭଳି ଅସ୍ୱାଭାବିକ ଘଟଣାକୁ ବିରୋଧ କରୁଛୁ ବୋଲି ଶ୍ରୀ ଜେନା କହିଛନ୍ତି । ଏ ସଂକ୍ରାନ୍ତରେ ବିଡିଓ ଶ୍ରୀ ଦାସଙ୍କୁ ପଚାରିବାରୁ ସେ କହିଲେ ଯେ ମୁଁ ବିଡିଓ ଭାବେ ମୋ ଦାୟିତ୍ୱ ନୂତନ ବିଡିଓଙ୍କୁ ହସ୍ତାନ୍ତର କରିଥାନ୍ତି । ଏହାପରେ ସେ ଦାୟିତ୍ୱ ନେଇ ସିଟ୍ରେ ବସିଥାନ୍ତେ । କିନ୍ତୁ ମୁଁ ଖାଇବାକୁ ଯାଇଥିବା ବେଳେ ମୋ ସିଟ୍ ଦଖଲ କରିବା ଏକ ଅସୌଜନ୍ୟ କଥା । ତେଣୁ ମୁଁ କାର୍ଯ୍ୟାଳୟରୁ ଫେରି ଆସିଲି । ଏଭଳି ଘଟଣା ସରକାରୀ ଅଧିକାରୀଙ୍କ କ୍ଷେତ୍ରରେ ହେବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଅପରପକ୍ଷରେ ନୂତନ ଭାବେ ଯୋଗ ଦେଇଥିବା କେନ୍ଦ୍ରାପଡ଼ା ବିଡିଓ ବନ୍ଦନା ଖଟୁଆଙ୍କୁ ପଚାରିବାରୁ ସେ କହିଲେ ମୁଁ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ତାଙ୍କୁ କହିଲି । ହେଲେ ସେ ଆସିଲେ ନାହିଁ । ଆସନ୍ତା କାଲି ସେ ଆସି ଦାୟିତ୍ୱ ହସ୍ତାନ୍ତର କରିବେ ବୋଲି କହିଲେ । ତେଣୁ ମୁଁ ସିଟ୍ରେ ବସିଲି । ଏଥିରେ କୌଣସି ନିୟମ ଉଲଙ୍ଘନ ହୋଇନାହିଁ ବୋଲି ନୂଆ ଶ୍ରୀମତୀ ଖଟୁଆ କହିଛନ୍ତି । ସାଧାରଣରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।


