ବିଣାପାଟିଆରେ ମକର ମହୋତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ ବିଣାପାଟିଆରେ ସର୍ନାଜିଆନ ୟୁଥ କ୍ଲବ ପକ୍ଷରୁ ମକର ମହୋତ୍ସବ ଅନୁଷ୍ଠିତ ହୋଇଛି। ୭ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଆଜି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଜିଲ୍ଲାପରିଷଦ ଉପାଧକ୍ଷ ସୋମନାଥ ଦାସ, ପ୍ରଭାତ ବିଶ୍ଵାଳ, ସମ୍ପାଦକ ପିତାମ୍ବର ଟୁତୁ, ଗାଁ ମୁରବୀ ମକର ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ମେଳା ମହୋତ୍ସବ ଦ୍ବାରା ଗାଁ ଓ ସାହି ବସ୍ଥିରେ ଏକତା ବୃଦ୍ଧି ପାଇଥାଏ ବୋଲି ବିଧାୟକ ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ। କେନ୍ଦୁଝର ଜିଲ୍ଲାରେ ମକର ପର୍ବର ସ୍ଵତନ୍ତ୍ରତା ଅଛି ଓ ବିଶେଷ କରି ଆଦିବାସୀ ମାନଙ୍କ ପାଇଁ ମକର ପର୍ବ ଏକ ନିଆରା ପରମ୍ପରା ବୋଲି ଜିଲ୍ଲାପରିଷଦ ଉପାଧକ୍ଷ ଶ୍ରୀ ଦାସ ମତ ରଖିଥିଲେ। ପ୍ରାରମ୍ଭରେ ଆଦିବାସୀ ପରମ୍ପରା ଅନୁଯାଇ ଅତିଥି ମାନଙ୍କୁ ନୃତ୍ୟ ଗୀତର ତାଳେ ତାଳେ ମଞ୍ଚ ନିକଟକୁ ପାଛୋଟି ନେଇଥିଲେ। ଭାଗିରଥି ମାଝୀ ଓ ମୋହନ ଟୁଡୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଆଦିବାସୀ ଯୁବକ ଯୁବତୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।