ବିଦାୟୀ ଜିଲ୍ଲାପାଳଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ବାଲେଶ୍ୱରର ବିଦାୟୀ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ରବିବାର ସନ୍ଧ୍ୟାରେ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ରହି ବାଲେଶ୍ୱର ଜିଲ୍ଲାପାଳ ଭାବେ ଶ୍ରୀ ରାଉତଙ୍କ ପ୍ରାୟ ଦେଢବର୍ଷର କାର୍ଯ୍ୟକାଳ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ଶ୍ରୀ ରାଉତଙ୍କ କାର୍ଯ୍ୟକାଳ ସମୟରେ ବିଭିନ୍ନ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହିତ ୨୦୧୯ ସାଧାରଣ ନିର୍ବାଚନକୁ ଯେଭଳି ଭାବେ ପରିଚାଳନା କରାଯାଇଥିଲା ତାହା ନିଶ୍ଚିତ ଭାବେ ସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ । ଜିଲ୍ଲାର ଜନସାଧାରଣଙ୍କ ନିକଟତର ହୋଇ ସେ ନିଜକୁ ଜଣେ ଅତ୍ୟନ୍ତ ଲୋକପ୍ରିୟ ଜିଲ୍ଲାପାଳ ଭାବେ ସାବ୍ୟସ୍ତ କରିପାରିଥିଲେ । ପ୍ରଶାସନିକ ସେବାରେ ଦକ୍ଷତା ପ୍ରତିପାଦନ କରିବା ସହିତ ଅଧସ୍ତନ ଅଧିକାରୀ ଓ କର୍ମଚାରୀଙ୍କ ପ୍ରତି ତାଙ୍କର ମାର୍ଜିତ ଆଚରଣ ଏବଂ ବଳିଷ୍ଠ ନେତୃତ୍ୱ ସମସ୍ତଙ୍କୁ ବେଶ ପ୍ରଭାବିତ କରିପାରିଥିବା ଅଧିକାରୀମାନେ ପ୍ରକାଶ କରିଥିଲେ । ଆରକ୍ଷୀ ଅଧୀକ୍ଷକ ବି ଯୁଗଳ କିଶୋର ବିଦାୟୀ ଜିଲ୍ଲାପାଳ ଶ୍ରୀ ରାଉତଙ୍କ ଦୀର୍ଘ ବର୍ଷର ଅଭିଜ୍ଞତା ଜିଲ୍ଲାର ସାମଗ୍ରୀକ ବିକାଶ ପାଇଁ ବେଶ୍ ସହାୟକ ହୋଇପାରିଥିଲା ବୋଲି କହିଥିଲେ । ପିଡି ଡିଆରଡିଏ ତ୍ରିଲୋଚନ ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣରେ ଜଣେ ଦରଦୀ ପ୍ରଶାସକ ଭାବେ ଶ୍ରୀ ରାଉତ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମତ ରଖିଥିଲେ । ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ଉପଜିଲ୍ଲାପାଳ ନୀଲୁ ମହାପାତ୍ର ବିଦାୟୀ ଜିଲ୍ଲାପାଳ ଶ୍ରୀ ରାଉତଙ୍କ କାର୍ଯ୍ୟଧାରା ଏବଂ ଶୈଳୀର ଉଚ୍ଚ ପ୍ରଶଂସା କରିଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ସମଗ୍ର ଜିଲ୍ଲା ପ୍ରଶାସନ ଗୋଟିଏ ଟିମ୍ ଭଳି କାର୍ଯ୍ୟ କରି ସଫଳତା ଲାଭ କରିଥିବା ସଭାରେ ମତପ୍ରକାଶ ପାଇଥିଲା । ଶନିବାର ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକଙ୍କୁ ବିଦାୟୀ ଜିଲ୍ଲାପାଳ ଶ୍ରୀ ରାଉତ ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ ରବିବାର ସନ୍ଧ୍ୟାରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ସେ ନିଜର ଦେଢ ବର୍ଷ କାର୍ଯ୍ୟକାଳର ଅନୁଭୂତି, ଅଭିଜ୍ଞତା, ଉପଲବଧି ଓ ସଫଳତା ସଂପର୍କରେ ବକ୍ତବ୍ୟ ରଖିଥିଲେ । ନିଜ କାର୍ଯ୍ୟକାଳ ସମୟରେ ଜିଲ୍ଲାର ସମସ୍ତଙ୍କ ଠାରୁ ସହଯୋଗ ପାଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ । ଭବିଷ୍ୟତରେ ମଧ୍ୟ ଏଭଳି କାର୍ଯ୍ୟଧାରାକୁ ବଜାୟ ରଖି ଜିଲ୍ଲାର ପ୍ରଗତିକୁ ପ୍ରାଥମିକତା ଦେବାକୁ ସେ ଆହ୍ୱାନ ଦେଇଥିଲେ । ବୈଠକରେ ଏପିଡି ଶ୍ରୀ ସର୍ବେଶ୍ୱର ସିଂ, ଡିଆଇସି ସାଧାରଣ ପରିଚାଳକ ଶ୍ରୀ ହରିହର ଜେନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ ପ୍ରମୁଖ ମଂଚାସୀନ ଥିବା ବେଳେ ବହୁ ବିଭାଗୀୟ ଅଧିକାରୀ ଏହି ସଭାରେ ଉପସ୍ଥିତ ରହି ଶ୍ରୀ ରାଉତଙ୍କ ସହ ଜଡିତ ସ୍ମୃତିର ଅବତାରଣା କରିବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ନିରାମୟ ଜୀବନର କାମନା କରିଥିଲେ । ଏହି ଅବସରରେ ତାଙ୍କୁ ବିଭିନ୍ନ କାର୍ଯ୍ୟାଳୟ ଓ ବ୍ୟକ୍ତିବିଶେଷଙ୍କ ତରଫରୁ ପୁଷ୍ପଗୁଚ୍ଛ ଓ ସ୍ମୃତିସନ୍ତକ ପ୍ରଦାନ ପୂର୍ବକ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେହିପରି ଜିଲ୍ଲା କିଲଟରୀ କର୍ମଚାରୀ ସଂଘ ତରଫରୁ ସୋମବାର ଦିନ ସ୍ଥାନୀୟ ସଦ୍ଭାବନା ସଭାଗୃହଠାରେ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।