ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ନାଉଗାଁ ବ୍ଳକ ଅନ୍ତର୍ଗତ ରୋହିଆ ପଂଚାୟତର କୋରଣିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଶଧ୍ୱଜ କାଣ୍ଡିଙ୍କର ବିଦାୟକାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ଏଥିରେ ବରିଷ୍ଠ ଶିକ୍ଷକ ବାମଦେବ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ମାଗୁଣୀ ଚରଣ ମହାନ୍ତି, ମୁଖ୍ୟବକ୍ତା ରୋହିଆ ସରପଂଚ ଶିବଚରଣ ନାୟକ, ସମ୍ମାନିତ ଅତିଥି ଭାବେ ସିଆରସିସି ସହଦେବ ସେଠୀ, ରୋହିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ରାଉତ ଯୋଗ ଦେଇ କୁଶଧ୍ୱଜ କାଣ୍ଡି ଜଣେ ଶିକ୍ଷକ ନଥିଲେ । ସେ ଜଣେ ଛାତ୍ର ବତ୍ସଳ, ସମାଜ ପ୍ରେମୀ, ବନ୍ଧୁ ବତ୍ସଳ ବ୍ୟକ୍ତିତ୍ୱ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବରିଷ୍ଠ ଶିକ୍ଷକ ବିଭୁତି ମହାନ୍ତି, କୈଳାସ ସ୍ୱାଇଁ, ଚିନ୍ତାମଣୀ ରାଉଳ, କୃତିବାସ ରାଉତ, ଅକ୍ଷୟ କୁମାର ରାଉତ, ନରେଶ ଚନ୍ଦ୍ର ସାହୁ, ରୋହିଆ ପଂଚାୟତର ପୂର୍ବତନ ସରପଂଚ ଧନେଶ୍ୱର ନାୟକ ଓ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ପ୍ରମୁଖ ସାମିଲ ହୋଇ ଶ୍ରୀ କାଣ୍ଡିଙ୍କ ଜଣେ ନିଷ୍ଠାପର, ସଚ୍ଚୋଟ ବ୍ୟକ୍ତିତ୍ୱ ସହିତ ଛାତ୍ରବତ୍ସଳ ଶିକ୍ଷକ ଭାବେ ପରିଚିତ ଥିଲେ ବୋଲି ଆଲୋକପାତ କରିଥିଲେ । ସେହିପରି ନାଉଗାଁହାଟ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଅଭିମନ୍ୟୁ ସାହୁଙ୍କ ବିଦାୟକାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ଭୋଳ, ବାଲିକୁଦା ପୂଜ୍ୟ ପୂଜା ସାଂସଦର ସଂପାଦକ କୌଳସ ଚନ୍ଦ୍ର ସ୍ୱାଇଁ, ସମାଜସେବୀ ବିପିନ ବିହାରୀ ବେହେରା,ରାଷ୍ଟ୍ରବାଦୀ ଶିକ୍ଷକ ସଂଘର ସଭାପତି ନିଲୁରାମ ଜେନା, ଓଷ୍ଟା ନାଉଗାଁ ବ୍ଳକର ସଂପାଦକ ହିମାଂଶୁ କୁମାର ମହାନ୍ତି,ପ୍ରଧାନ ଶିକ୍ଷକ ନିରୋଦ କୁମାର ସ୍ୱାଇଁ ଯୋଗ ଦେଇଥିଲେ । ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ଆଦି ଭାବବିହ୍ୱଳ ହୋଇ ଉଠିଥିଲେ ।