ବିଦାୟ ସମୟରେ କାନ୍ଦିଲେ ଛାତ୍ରୀଛାତ୍ର

ନଓ୍ବାଡା:ସାଧାରଣତଃ ଅତି ନିଜ ବ୍ୟକ୍ତିଙ୍କ ବିଦାୟୀ ସମୟରେ ଆଖିରେ ଲୁହ ଆସିଯାଇଥାଏ। କିନ୍ତୁ କେବେ ଶୁଣିଛନ୍ତି ବା ଦେଖିଛନ୍ତି କି ଜଣେ ଶିକ୍ଷକଙ୍କ ବିଦାୟି ସମୟରେ ସାରା ସ୍କୁଲ କାନ୍ଦୁଥିବାର। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିହାର ନଓ୍ବାଡାର ରୋହ ପ୍ରଖଣ୍ଡରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଯମୁନା ପ୍ରସାଦ ଶନିବାର ସ୍କୁଲରୁ ଅବସର ଗ୍ରହଣ କରିଥିଲେ। ତାଙ୍କ ପାଇଁ ସ୍କୁଲ ପକ୍ଷରୁ ଏକ ବିଦାୟୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କ ପାଇଁ ଏକ ସ୍ବତନ୍ତ୍ର ବିଦାୟୀ ଗୀତ ପ୍ରସ୍ତୁତ କରିଥିଲେ। ଏହାକୁ ଶୁଣିବା ମାତ୍ରେ ହିଁ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଖିରେ ଲୁହ ଭରି ଯାଇଥିଲା। ଏହାପରେ ଯମୁନାଙ୍କୁ ବିଦାୟ ଦେବା ବେଳେ ଶିକ୍ଷକ ଓ ଛାତ୍ରୀଛାତ୍ର ଭାବୁକ ହୋଇ ଭୋ ଭୋ କରି କାନ୍ଦି ପକାଇଥିଲେ। ସେହି ସମୟର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ସ୍କୁଲର ବିକାଶ ହେଉ କି ପିଲାଙ୍କ ପାଠପଢ଼ାରେ ଯମୁନାଙ୍କ ଅବଦାନ ଅତୁଳନୀୟ। ମହତ କାର୍ଯ୍ୟ ବା ନିଜର ସ୍ବଭାବ ପାଇଁ ସ୍ଥାନୀୟ ଅଞ୍ଚଳରେ ଯମୁନାଙ୍କ ବେଶ୍‌ ଲୋକପ୍ରିୟତା ରହିଛି। ସେ ନିଜ ଦରମା ଟଙ୍କାରେ ସ୍କୁଲର ମରାମତି କାର୍ଯ୍ୟ କରୁଥିବା ଜଣାପଡ଼ିଛି। ତେବେ ସମାଜରେ ଏଭଳି ଶିକ୍ଷକ ମିଳିବା ବିରଳ ବୋଲି ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ