ବିଦେଶରେ ଓଡିଆ ଶ୍ରମିକଙ୍କ ଆକସ୍ମିକ ମୃତ୍ୟୁ
ଯାଜପୁର- ଜାପାନର ଟୋକିଓ ସହରରେ ମୃତ୍ୟୁବରଣ କରିଥିବା ଓଡିଆ ଶ୍ରମିକଙ୍କ ମୃତ ଦେହ ଆଣିବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ କରିଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ପଠାନ ମହଲାର । ସେକ ଗୋରାଙ୍କ ବଡ ପୁଅ ବାର ଉଦ୍ଦିନ ୫ ବର୍ଷ ହେଲା ଜାପାନର ଟୋକିଓ ସହରରେ ଏକ ହୋଟେଲରେ ରହି କାମ କରୁଥିଲେ । ସେ ନିକଟରେ ଘରକୁ ଆସି ଜାନୁଆରୀ ୭ ତାରିଖରେ ଜାପାନ ଯାଇଥିଲେ । ସେଠାରେ କାମ କରୁଥିବା ବେଳେ ଗତ ୨୯ ତାରିଖରେ ତାଙ୍କର ସେଠାରେ ଆକସ୍ମିକ ଭାବେ ମୃତ୍ୟୁ ହୋଇଯାଇଛି । ୩୦ ତାରିଖରେ ପରିବାର ଲୋକେ ଏହି ଖବର ପାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କରମରଶରୀରକୁ ନିଜ ଘରକୁ ଫେରିବା ନେଇ ବିଳମ୍ବ ଘଟୁଥିବାରୁ ପରିବାର ଲୋକେ ଆଶା ଆଶଙ୍କାରେ ରହିଛନ୍ତି । ତେବେ ମୃତକର ମରଶରୀରକୁ ନିଜ ଘରକୁ ଫେରାଇ ଆଣିବା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାରୁ ମୃତ ଦେହ ଭାରତ ଆସିପାରୁନାହିଁ । ତେଣୁ ମୃତ ଦେହକୁ ଭାରତକୁ ଅଣାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ପରିବାର ଲୋକେ ।


