ବିଦେଶୀ ମଦ ଦୋକାନ ନଖୋଲିବାକୁ ନିଷ୍ପତ୍ତି
କଟକ: ରାଜ୍ୟରେ ଅନଲାଇନରେ ମଦ ଡେଲିଭରି ପାଇଁ ସରକାରୀ ଅନୁମତି ମିଳିଥିବାବେଳେ କଟକ ଜିଲ୍ଲାରେ କିନ୍ତୁ ବିଦେଶୀ ମଦ ଦୋକାନ ନଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କଟକରେ କେବଳ ଅନଲାଇନ ମାଧ୍ୟମରେ ମଦ ବିକ୍ରିକୁ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ବିରୋଧ କରାଯାଇଛି । ଏଥିସହ କଟକ ଜିଲ୍ଲାରେ କିନ୍ତୁ ବିଦେଶୀ ମଦ ଦୋକାନ ନଖୋଲିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଏନେଇ ସଂଘ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆମେ ଅନ ଲାଇନ ମଦ ବିକ୍ରି ବିରୋଧ କରୁନାହୁଁ । ମାତ୍ର ଅନଲାଇନ ସହ ଅଫ ଲାଇନ ମଦ ବିକ୍ରିକୁ ଅନୁମତି ମିଳୁ । ଅଫ ଲାଇନ ବିକ୍ରି ଅନୁମତି ନମିଳିଲେ ଟାର୍ଗେଟ ପୂରଣ ହେବନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି ।
ପ୍ରକାଶ ଯେ, ଆଜିଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ । ଅର୍ଥାତ୍ ଅନଲାଇନରେ ଅର୍ଡର କରିବେ ଗ୍ରାହକ, ଆଉ ଘରେ ଆସି ମଦ ପହଁଚିଯିବ । ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ ନିଜେ ହୋମ ଡେଲିଭରୀ କରିବେ, ନହେଲେ ଜମାଟୋ ଓ ସ୍ୱିଗି ଭଳି ଅନଲାଇନରେ ଖାଦ୍ୟ ଯୋଗାଉଥିବା ସଂସ୍ଥା ଜରିଆରେ ଯୋଗାଇ ପାରିବେ । ଏହାରି ଭିତରେ ଅନଲାଇନ୍ ମଦ ଡେଲିଭରି ପାଇଁ ଆବେଦନ କରିଥିବା ଖାଦ୍ୟ ପହଁଚାଉଥିବା ଜମାଟୋ ଓ ସ୍ୱିଗିକୁ ମଧ୍ୟ ଅନୁମତି ମିଳିଛି ।
ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀ ଭଳି ସହରରେ ଜମାଟୋ ହୋମ ଡେଲିଭରି ଦେଇପାରିବ । ସେହିପରି ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲାରେ ସ୍ୱିଗି ହୋମଡେଲିଭରି ଦେଇପାରିବ । ଏବଂ ଏକାଥରକେ ୫ଲିଟର ବିୟର ଓ ଅଢ଼େଇ ଲିଟର ଭାରତ ପ୍ରସ୍ତୁତ ବିଦେଶୀ ମଦ ଡେଲିଭରି ଦେବାକୁ ଅବକାରୀ ବିଭାଗ ଅନୁମତି ଦେଇଛି । ସବୁଠୁ ବଡ କଥା ହେଉଛି, ମଦର ଏମ୍ଆରପିକୁ ୫୦ ପ୍ରତିଶତ ବଢ଼ାଇଛନ୍ତି ସରକାର । ସ୍ପେଶାଲ୍ କୋଭିଡ୍ ଫି’ ଆକାରରେ ଏହି ବର୍ଦ୍ଧିତ ମୂଲ୍ୟ ନିଆଯିବ । ଏହି ଅତିରିକ୍ତ ରାଜସ୍ୱ, କରୋନା ଚିକିତ୍ସା ପାଇଁ ଖର୍ଚ୍ଚ କରିବେ ସରକାର ।