ବିଦେଶୀ ମଦ ଦୋକାନ ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ
ଦିଗପହଣ୍ଡି : ଦିଗପହଣ୍ଡି ସହରର ମୁଖ୍ୟରାସ୍ତା କଡ଼ରେ ନୂତନ ଭାବେ ଖୋଲାଯାଇଥିବା ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବୀରେ ବୁଧବାର ସହରର ବହୁସଂଖ୍ୟକ ମହିଳା ସମ୍ପୃକ୍ତ ବିଦେଶୀ ମଦ ଦୋକାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ପରେ ଉକ୍ତ ମଦ ଦୋକାନ ଲାଇସେନ୍ସ ବାତିଲ ଦାବିରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି।ବିଦେଶୀ ମଦ ଦୋକାନ ଖୋଲିବା ପୂର୍ବରୁ ଆପତ୍ତି ଅଭିଯୋଗ ଦରଖାସ୍ତ ଆହ୍ଵାନ କରାନଯାଇ ବେଆଇନ ଭାବେ ବିଦେଶୀ ମଦ ଦୋକାନ ଓ ରେଷ୍ଟୁରାଣ୍ଟ ଖୋଲାଯିବା ନିମନ୍ତେ ଲାଇସେନ୍ସ ପ୍ରଦାନ କରାଯାଇଛି। ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ,ଆକ ସିସ୍ ବ୍ୟାଙ୍କ୍, ୟୁକୋ ବ୍ୟାଙ୍କ, ପୋଷ୍ଟ ଅଫିସ, ଆହାର କେନ୍ଦ୍ର, ଏସ ବି ଆଇ ଗ୍ରାହକ ସେବା କେନ୍ଦ୍ର ସମେତ ଅନ୍ୟାନ୍ୟ ଦୋକାନ ବଜାର ଥିବା ଜନଗହଳିପୂର୍ଣ୍ଣ ଅଞ୍ଚଳରେ କେଉଁ ଆଇନ ବଳରେ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି ସେନେଇ ତଦନ୍ତ କରିବା ନିମନ୍ତେ ସ୍ମାରକପତ୍ର ରେ ଉଲ୍ଲେଖ ରହିଛି।ପୂର୍ବରୁ ବିଦେଶୀ ମଦ ଦୋକାନ ଖୋଲିବା ବିରୋଧରେ ଏନ୍ ଏ ସି କାଉନସିଲ ପକ୍ଷରୁ ଗତ ୨୦୧୬ ଡିସେମ୍ବର ୨୬ ତାରିଖରେ ନିର୍ଦ୍ଧାରଣ ସଂଖ୍ୟା – ୩ (ଖ) ଅନୁଯାୟୀ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନିଆଯାଇଥିଲା।ସେହିପରି ୨୦୧୮ ଜାନୁୟାରୀ ୨୦ ତାରିଖ ସର୍ବସାଧାରଣ ନୋଟିସ୍ ସଂଖ୍ୟା – ୧୨୫ ବିରୋଧରେ ସ୍ଥାନୀୟ ଜନସାଧାରଣ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅତୀତରେ ବେଆଇନ ମଦ ବ୍ୟବସାୟ ଓ ଅସାମାଜିକ କାର୍ଯ୍ୟକଳାପ କୁ କେନ୍ଦ୍ର କରି ଉକ୍ତ ବିଦେଶୀ ମଦ ଦୋକାନ ନିକଟସ୍ଥ ସୁଇଟଲାଇଟ ହୋଟେଲ ଭିତରେ ଜଣେ ଯୁବକ ଙ୍କୁ ହତ୍ୟା କରାଯାଇଥିଲା।ବିଦେଶୀ ମଦ ଦୋକାନ ଯୋଗୁଁ ପ୍ରତିଦିନ ଛୋଟବଡ ଗଣ୍ଡଗୋଳ ଘଟୁଥିବା ସହ ସାଧାରଣ ଲୋକ ବିଶେଷକରି ମହିଳା ମାନେ ଉକ୍ତ ରାସ୍ତା ରେ ଚଳପ୍ରଚଳ ହେବାକୁ ନିରାପଦ ମନେ କରୁନାହାଁନ୍ତି।ବିଦେଶୀ ମଦ ଦୋକାନ ସମ୍ମୁଖରେ ପାର୍କିଂ ବ୍ୟବସ୍ଥା ନଥିବାରୁ ସେଠାରେ ସଦା ସର୍ବଦା ଟ୍ରାଫିକ ଜାମ୍ ହେଉଛି। ବ୍ୟାଙ୍କ୍ ଗୁଡ଼ିକୁ ଗ୍ରାହକ ମାନେ ଯା ଆସ କରିବାରେ ସମସ୍ୟା ସୃଷ୍ଟି ହେଉଛି।ଶାନ୍ତ ପ୍ରିୟ ଦିଗପହଣ୍ଡି ସହର ରେ ଆସାମାଜିକ କାର୍ଯ୍ୟକଳାପ,ଚୋରି, ଡକାୟତି,ରାହାଜାନୀ, ଲୁଟ୍ ତରାଜ୍ ବଢିବାର ଆଶଙ୍କା ପ୍ରକାଶ ପାଇଛି।ସହର ତଥା ଆଖପାଖ ଗ୍ରାମାଞ୍ଚଳର ଜନସାଧାରଣ ମୁଖ୍ୟତଃ କୃଷି ଉପରେ ନିର୍ଭର କରି ନିଜ ଗୁଜୁରାଣ ମେଣ୍ଟାଉ ଥିବା ବେଳେ ଜନସାଧାରଣ ଙ୍କ ଅଭିଯୋଗକୁ ଗୁରୁତ୍ବ ନଦେଇ ବିଦେଶୀ ମଦ ଦୋକାନ ଖୋଲିବା ନିମନ୍ତେ ଗଞ୍ଜାମ ଜିଲା ପ୍ରଶାସନ ସରକାରଙ୍କୁ ସୁପାରିଶ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପୁଞ୍ଜିଭୂତ ହେବାରେ ଲାଗିଛି। ସହରର ମୁଖ୍ୟରାସ୍ତା କଡ଼ରୁ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଦିଗପହଣ୍ଡି ଉନ୍ନୟନ ପରିଷଦର ସଭାପତି ଅଶେଷ ନାଥ ମିଶ୍ର, ମହିଳା ବିଜୁ ଜନତାଦଳ ଟାଉନ୍ ସଭାନେତ୍ରୀ ଶିବ ଲକ୍ଷ୍ମୀ ପଟ୍ଟନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏନେଇ ବିଦେଶୀ ମଦ ଦୋକାନ ପ୍ରୋପାଇଟର ନାରାୟଣ ସାହୁ ଙ୍କୁ ପଚାରିବାରୁ ସରକାରଙ୍କ ସମସ୍ତ ନୀତିନିୟମ ପ୍ରକାରେ ଦୋକାନ ଖୋଲିବା ପାଇଁ ଅନୁମତି ମିଳିଥିବା ଜଣାଇଛନ୍ତି।