ବିଦ୍ୟାଳୟରୁ କାଠ ଚୋରୀ ଘଟଣା, ୫ଦିନ ପରେବି କାର୍ଯ୍ୟାନୁଷ୍ଠାନ ଶୁନ
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ଥିବା ରଗୁଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ୨୧ ତାରିଖ ରାତିରେ କାଠ ଚୋରୀ କରୁଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲେ । ଗ୍ରାମବାସୀମାନେ ଏନେଇ ବନ ବିଭାଗକୁ ଜଣାଇବାପରେ ବନ ବିଭାଗ କାଠକୁ ଜବଦ କରିଥିବାବେଳେ ୨୨ତାରିଖ ଦିନ ଗ୍ରାମବାସୀମାନେ ବିଦ୍ୟାଳୟରେ ତାଲା ପକାଇଦେବା ସହ କୌଣସି ଶିକ୍ଷକଙ୍କୁ ବିଦ୍ୟାଳୟକୁ ଛାଡି ନଥିଲେ । ଯେଉଁ ଶିକ୍ଷୟତ୍ରୀ ସ୍କୁଲରୁ କାଠ ଚୋରୀ କରିନେଉଛନ୍ତି ସେପରି ଶିକ୍ଷୟତ୍ରୀଙ୍କୁ ଆଉ ସ୍କୁଲରେ ପୁରାଇ ଦେବୁନି ବୋଲି ଦାବିକରି ଗ୍ରାମବାସୀମାନେ ଗୋଟିଏ ଦିନ ସ୍କୁଲ ବାହାରେ ବସିରହିଥିଲେ । ଫଳରେ ୨୨ତାରିଖ ଦିନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଦ୍ୟାଳୟ ବାହାରେ ଘଣ୍ଟା ଘଣ୍ଟା ଧରି ବସିରହି ଘରକୁ ଫେରି ଆସିଥିଲେ । ସେହିଦିନ ବ୍ଲକ ଶିକ୍ଷା ଅଧିକାରୀ କ୍ଷୀରୋଦ କୁମାର ତ୍ରିପାଠୀ ଓ ଏବିଇଓ ସୁରେଶ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଦାବିକୁ ପୁରଣ କରିବା ଲାଗି ପ୍ରତିଶୃତି ଦେବାପରେ ଲୋକମାନେ ଆନ୍ଦୋଳନରୁ ଓହରି ଯାଇଥିଲେ । ସେହିଦିନ ଠାରୁ ପ୍ରଧାନ ଶିକ୍ଷୟତ୍ରୀ ଛୁଟିରେ ରହିଥିବାବେଳେ ରଗୁଡିଆ ବିଦ୍ୟାଳୟକୁ ଅନ୍ୟ କୌଣସି ଶିକ୍ଷକ ଦିଆଯାଇ ନାହିଁ । ଫଳରେ ଶିକ୍ଷାଦାନରେ ଘୋର ଅସୁବିଧା ସୃଷ୍ଟି ହେଉଥବବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଘଟଣାକୁ ୬ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସଂପୃକ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଘଟଣାକୁ ଚାପିଦେବାକୁ ଉଦ୍ୟମ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପଚାରିବାରେ ସେ କିଛି କହିବାକୁ ମନା କରିଦେଇଛନ୍ତି । ତେଣୁ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ଦେଖିବାକୁ ରଗୁଡି÷ଆ ଗ୍ରାମବାସୀମାନେ ଅପେକ୍ଷା କରି ରହିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗତ କିଛିଦିନ ତଳେ ସ୍କୁଲ ପରିସରରେ ଥିବା ଏକ ଶିଶୁଗଛ ଭାଙ୍ଗି ପଡିବାରୁ ତାକୁ କଟାଯାଇ ସ୍କୁଲ ପରିସରରେ ରଖାଯାଇଥିଲା । ଗତ ୨୧ତାରିଖ ରାତିରେ ପ୍ରଧାନ ଶିକ୍ଷକୟତ୍ରୀ ପ୍ରମିଳା ରାଉତ ଏକ ଟାଟା ଏସି ଗାଡି ଆଣି ସ୍କୁଲରେ ଥିବା ଶିଶୁକାଠ ଗଡ ଗୁଡିକୁ ଗାଡିରେ ଲୋଡକରି ନେବାବେଳେ ଗ୍ରାମବାସୀମାନେ ଗାଡିଟିକୁ ଅଟକାଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ କାହିଁକି କାଠ ନେଉଛ ବୋଲି ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଗ୍ରାମବାସୀମାନେ ଏ ସମ୍ପର୍କରେ ତୁରନ୍ତ ହଦଗଡ ବନ ବିଭାଗକୁ ଜଣାଇବାରୁ ପ୍ରଧାନ ଶିକ୍ଷୟତ୍ରୀ ଓ ଗାଡି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବନ ବିଭାଗର ଅଧିକାରୀ ମାନେ ପହଞ୍ଚି କାଠ ବୋଝେଇ ଗାଡିଟିକୁ ଜବଦ କରିବାସହ ବନଖଣ୍ଡ କାର୍ଯ୍ୟାଳୟକୁ ନେଇଯାଇଥିଲେ ।


