ବିଦ୍ୟାଳୟରେ ଅବ୍ୟବସ୍ଥା : ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଭିଭାବ୍କ୍
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ବନେଇକଳା ଉଚ୍ଚ ବିଦ୍ୟାଳୟ ଅବ୍ୟବସ୍ଥା ଭିତରେ ଚାଲିଥିବା ନେଇ ଅଭିଭାବକ ମାନେ ଜିଲାପାଳଙ୍କଠାରେ ମଙ୍ଗଳବାର ଅଭିଯୋଗ କରିଛନ୍ତି । ଅଭିଭାବକ ରୀନା ଚାଟାର୍ଜି, ଚନ୍ଦ୍ରକାନ୍ତ ନାଏକ, ରାଧାକାନ୍ତ ନାଏକ, ଅନିତା ଲୋହାର, ନଦିଆ ମୁଣ୍ଡା, ବୁଧରାମ ମୁଣ୍ଡା, ବସନ୍ତ ସାଓ ପ୍ରମୁଖ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଏହି ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ପୂର୍ବରୁ ଭଲ ଥିଲା । କିଛି ବର୍ଷ ହେବ ଶିକ୍ଷକଙ୍କ ଅବହେଳା ଯୋଗୁ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । ବିଦ୍ୟାଳୟରେ ଦୀର୍ଘ ବର୍ଷ ହେଲା ପରିଚାଳନା କମିଟି ଗଠନ ହୋଇନାହିଁ । ଶିକ୍ଷା ବିଭାଗ ଓ ପ୍ରଶାସନର ଠାରେ ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ମଧ୍ୟାହ୍ନ ଭୋଜନ ଠିକ୍ ରେ ନମିଳିବା, ୫ ବର୍ଷ ତଳୁ ଜାତି ପ୍ରମାଣପତ୍ର ଦେବା ସତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ ଷ୍ଟାଇପେନ୍ଟ ନମିଳିବା, ପୋଷାକ ବଂଟନରେ ଅନିୟମିତତା , ହଷ୍ଟେଲ ପରିଚାଳନାରେ ଅନିୟମିତତା, ଛାତ୍ରୀଛାତ୍ରମାନେ ଠିକ୍ ସମୟରେ ବହି ପାଇ ପାରୁନଥିବାରୁ ସେମାନଙ୍କର ପାଠପଢାରେ ଅସୁବିଧା ପ୍ରଭୃତି ସମସ୍ୟା ନେଇ ଅଭିଭାବକମାନେ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି । ଅଭିଭାବକମାନେ କାର୍ଯ୍ୟରେ ଅବହେଳା କରୁଥିବା ପ୍ରଧାନ ଶିକ୍ଷକଙ୍କ ଓ ଅନ୍ୟ ଶିକ୍ଷୟତ୍ରୀଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଜିଲାପାଳଙ୍କଠାରେ ଦାବି କରିଛନ୍ତି ।