ବିଦ୍ୟାଳୟରେ ଅଭିଭାବକ ପକାଇଲେ ତାଲା
ବାରିପଦା, (ମୁରାରୀ ମୋହନ ମହାପାତ୍ର): ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ସାରସକଣା ପଞ୍ଚାୟତ ଅନ୍ତର୍ଗତ ମିଳିତ ପ୍ରାଥମିକ ବିଦ୍ୟାଳୟରେ ଆଜି ଅଭିଭାବକ ମାନେ ପକାଇଲେ ତାଲା, ମିଳିଥିବା ସୂଚନା ମୁତାବକ 1986 ମସିହାରୁ ପ୍ରତିଷ୍ଠା ହୋଇ 1990 ମସିହା ଠାରୁ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ପରିଣତ ହୋଇଛି ମିଳିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ଏହି ସ୍କୁଲରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ପରି ତିନୋଟି ଶ୍ରେଣୀ ରହିଛି। ତେବେ ଉକ୍ତ ସ୍କୁଲରେ ଦୁଇ ଜଣ ଶିକ୍ଷକ ଅବସର ନେଲାପରେ ପୁଣି ଦୁଇଜଣ ଶିକ୍ଷକଙ୍କୁ ଡେପୁଟେସନ ରେ ନିଯୁକ୍ତ ଦେଇଥିଲେ। ମାତ୍ର ଜଣେ ଶିକ୍ଷକଙ୍କର ଚାକିରୀର ରେଗୁଲାର ହେବାରୁ ସେ ନିଜ ପୋଷ୍ଟ କୁ ଫେରି ଗଲେ। ପୁଣି ତାଙ୍କୁ ବିଇଓଙ୍କ ଚିଠି ନମ୍ବର 445, ତା-11/02/2025 ରିଖ ଅନୁଯାୟୀ ଉକ୍ତ ବିଦ୍ୟାଳୟକୁ ଫେରିବା ପାଇଁ ନିର୍ଦ୍ଧେଶ ଦିଆଗଲା, ମାତ୍ର ସେ ଅଦ୍ୟାବଧି କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ବର୍ତ୍ତମାନ ସ୍କୁଲ ଗୁଡିକରେ ପରୀକ୍ଷା ଚାଲିଥିବା ବେଳେ, ଜଣେ ଶିକ୍ଷକରେ ତିନୋଟି ଶ୍ରେଣୀର ପାଠ ପଢା ସଙ୍ଗେ ସଙ୍ଗେ ମଧ୍ୟାହ୍ନ ଭୋଜନ ଓ ଆନୁସାଙ୍ଗିକ କାର୍ଯ୍ୟ ତୁଲାଇବା କଷ୍ଟକର ହୋଇପଡିଛି। କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ଆନ୍ଧକାରକୁ ଠେଲି ଦିଆଯାଇଛି। । ଏଣୁ ଖୁବ ଶୀଘ୍ର ଉକ୍ତ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦେବାକୁ ପଦକ୍ଷେପ ଗ୍ରହଣ କରି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସ୍କୁଲ ପରିଚାଳନା କମିଟି, ସ୍ଥାନୀୟ ଲୋକେ, ଅଭିଭାବକ ପ୍ରମୁଖ ସ୍କୁଲରେ ପହଞ୍ଚି ଦାବୀ କରିଥିଲେ ଏବଂ ସ୍କୁଲରେ ତାଲା ପକାଇ ଦେଇଥିଲେ ।