ବିଦ୍ୟାଳୟରେ ତାଲା ପକାଇ ଧାରଣା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଂଚାୟତର ଗୋପାଳ ଜୀୟୁ ଉ.ପ୍ରା ବିଦ୍ୟାଳୟରେ ସହକାରୀ ଶିକ୍ଷକ ଉମାକାନ୍ତ ଆଚାର୍ଯ୍ୟଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ଗୁରୁବାର ବିଦ୍ୟାଳୟର ଛାତ୍ରଛାତ୍ରୀ,ଅବିଭାବକ ଓ ଶିକ୍ଷା କମିଟିର ସଦସ୍ୟମାନେ ବିଦ୍ୟାଳୟର ସମ୍ମୁଖ ଗେଟକୁ ବନ୍ଦ କରି ପ୍ରତିବାଦ କରିଥିଲେ । ଏପରିକି ବିଦ୍ୟାଳୟ ମଧ୍ୟକୁ କୌଣସି ପିଲା ନଯାଇ ବିଦ୍ୟାଳୟ ସମ୍ମୁଖର ରାସ୍ତାରେ ଟାୟାର ଜାଳି ଅବରୋଧ କରଥିଲେ । ଘଟଣାସ୍ଥଳରେ ବ୍ଳକ ଶିକ୍ଷାଧିକାରୀ ଗଣେଶ୍ୱର ସେଠୀଙ୍କ ସମେତ ନାଉଗାଁ ପୋଲିସ ଯାଇ ପହଂଚିଥିଲେ । ସେଠାରେ ଶିକ୍ଷା କମିଟିର ସଭାପତି ଅଶୋକ କୁମାର ପଟ୍ଟନାୟକ,ସରପଂଚ ରଶ୍ମିତା ମହାନ୍ତି, ସ୍ଥାନୀୟ ଯୁବକ ତୁଷାରକାନ୍ତ ମହାନ୍ତି ଆଦିଙ୍କ ଉପସ୍ଥିତିରେ ଘଟଣା ସଂପର୍କରେ ଆଲୋଚନା ହୋଇଥିଲା । ଏ ବିଷୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରି ଶନିବାର ମଧ୍ୟରେ ନିଷ୍ପତି ଗ୍ରହଣ କରାଯିବ ବୋଲି ବ୍ଳକ ଶିକ୍ଷାଧିକାରୀ ପ୍ରତିଶୃତି ଦେଇଥିଲେ । ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଯଦି ଉକ୍ତ ପ୍ରତିଶୃତି ୨ ଦିନ ମଧ୍ୟରେ ପାଳନ କରାନଯାଏ ତେବେ ଶନିବାର ଠାରୁ ଉକ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି । ସେହିପରି ବିଦ୍ୟାଳୟର ଛାତ୍ରଛାତ୍ରୀ,ଶିବ ଚରଣ ରଣା, ମାମାଲି ଭୋଳ ସମେତ ୯୨ ଜଣ ସ୍ୱାକ୍ଷରିତ ସମ୍ବଳିତ ଏକ ଅଭିଯୋଗ ପତ୍ର ସରପଂଚଙ୍କ ମାଧ୍ୟମରେ ବ୍ଳକ ଶିକ୍ଷାଧିକାରୀଙ୍କୁ ପ୍ରଦାନ କରାଯାଇଛି । ଅଭିଯୋଗରେ ଦର୍ଶାଯାଇଛି ଯେ ଉମାକାନ୍ତ ସାର ଯିଏକି ସମସ୍ତଙ୍କର ପ୍ରିୟ ଶିକ୍ଷକ ଅଟନ୍ତି । ସେ ପଢାଉଥିବା ପ୍ରତ୍ୟେକ ବିଷୟକୁ ଠିକ ଭାବେ ପଢାନ୍ତି ଓ ବୁଝାନ୍ତି । ଯେତେ ଥର ପଚାରିଲେ ମଧ୍ୟ ସେ ରାଗନ୍ତି ନାହିଁ ବଂର ସରଳରେ ବୁଝାଇଥାନ୍ତି । ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରାନଗଲେ ବିଦ୍ୟାଳୟର କୌଣସି ଶିକ୍ଷକଙ୍କୁ ଫାଟକ ମଧ୍ୟକୁ ପୁରାଇ ଦିଆଯିବ ନାହିଁ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଯାହାଫଳରେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବା ସହିତ ବିଶୃଙ୍ଖଳା ସୃଷ୍ଟି ହେବ ବୋଲି ଅବିଭାବକମାନେ ଅଭିଯୋଗ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ଗତ ବୁଧବାର ଜିଲ୍ଲା ଶିକ୍ଷାଧିକାରୀ ପ୍ରତିଭା ମଂଜରୀ ଦାଶ ନାଉଗାଁ ବ୍ଳକ ମନିଟରିଂରେ ଆସି ପ୍ରଥମେ ଗଜରାଜପୁରର ଗୋପାଳ ଜିୟୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଲେସନ ପ୍ଳାନ ମାଗିଥିଲେ । ସହକାରୀ ଶିକ୍ଷକ ଶ୍ରେଣୀ ଗୃହରେ ଥିବା ସମୟରେ ଲେସନ ପ୍ଳାନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦେଇପାରି ନଥିଲେ । ଯାହାଫଳରେ ସଙ୍ଗେ ସଙ୍ଗେ ଜିଲ୍ଲା ଶିକ୍ଷାଧିକାରୀ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଫୋନ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ଫୋନ ପାଇବା ପରେ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଉକ୍ତ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନିକଟକୁ ଚିଠି ପଠାଯାଇଥିଲା । ଉକ୍ତ ଚିଠି ବିଦ୍ୟାଳୟରେ ପହଂଚିବା ପରେ ବିଦ୍ୟାଳୟ ସମେତ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଥିଲା ।\n

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ