ବିଦ୍ୟାଳୟରେ ମିଳୁନି ପେଟପୁରା ମଧ୍ୟାହ୍ନ ଭୋଜନ
କୋଦଳା (ଯୁଗାବ୍ଦ ନ୍ୟୁଜ) : ସରକାର ଶିକ୍ଷା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସେଥିମଧ୍ୟରୁ ମଧ୍ୟାହ୍ନ ଭୋଜନ ବାବଦକୁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି।କାରଣ ପିଲାମାନେ ଯେମିତି ବିଦ୍ୟାଳୟକୁ ଆସିବାରେ ଆଗ୍ରହ ପ୍ରକାଶ କରନ୍ତୁ ଓ ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତୁ କିନ୍ତୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ସାତନଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତାହା ବିପରୀତ ଦେଖିବାକୁ ମିଳିଛି।ଏହି ବିଦ୍ୟାଳୟରେ ପ୍ରଥମ ଠାରୁ ଦଶମ ଶ୍ରେଣୀରେ ମୋଟ ୨୫୬ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ପ୍ରଥମ ରୁ ଅଷ୍ଟମ ୨୧୧ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି।କିନ୍ତୁ ଏହି ବିଦ୍ୟାଳୟରେ ନିମ୍ନମାନର ମଧ୍ୟାନ୍ହ ଭୋଜନ ସହ ପେଟପୁରା ଖାଦ୍ୟ ମିଳୁନଥିବା ଅଭିଯୋଗ ସହ କ୍ୟାମେରାରେ ମଧ୍ୟ ଏହି ଦୃଶ୍ୟ କୟଦ ହୋଇଛି ଏବଂ ବିଦ୍ୟାଳୟର ଉନ୍ନୟନ ମୂଳକ କାର୍ୟ୍ୟ ପାଇଁ ଆସୁଥିବା ଟଙ୍କା ମଧ୍ୟ ଆତ୍ମସାତ କରି ମିଥ୍ୟା ବିଲ ମଧ୍ୟ କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।ପିଲାମାନଙ୍କ ପାଇଁ ହାତ ଧୋଇବା ପାଇଁ ହେଣ୍ଡୱାସ ମଧ୍ୟ ମିଳିନଥିବା ପ୍ରଧାନ ଶିକ୍ଷକ ଆଦିତ୍ୟ ମହାପାତ୍ର ସ୍ୱୀକାର କରିଛନ୍ତି।ଆସୁଥିବା ପିଲାଙ୍କ ଠାରୁ ଅଧିକା ପରିମାଣର ପିଲା ସଂଖ୍ୟା ପକାଇ ମଧ୍ୟାହ୍ନ ଭୋଜନର ଟଙ୍କା ଆତ୍ମସାତ କରୁଥିବା କଥା ଉଠୁଛି। ସରକାର ନୀତିନିୟମ କରିଛନ୍ତି ସତ ହେଲେ ନିୟମ କିପରି ପାଳନ ହେଉଛି ତାହା ଏହି ବିଦ୍ୟାଳୟକୁ ଦେଖିଲେ ସମ୍ପୂର୍ଣ୍ଣ ବାରି ହେଉଛି।ଏଣୁ ଜିଲ୍ଲା ପ୍ରଶାସନ ଶୀଘ୍ର ଏହାପ୍ରତି ଦୃଷ୍ଟି ଦେଇ ପିଲାମାନଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ କିପରି ସୁଚାରୁରୂପେ ମିଳିବ ଓ ଉକ୍ତ ଟଙ୍କା ହଡ଼ପ କରିଥିବା ଶିକ୍ଷକଙ୍କ ବିରୁଦ୍ଧରେ କି କାର୍ୟ୍ୟାନୁଷ୍ଠାନ ନିଆଯିବ ତାହା ଦେଖିବାକୁ ବାକି ରହିଲା।