ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଘାଟିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ଉପକଣ୍ଠ ସ୍ଥିତ ଚନ୍ଦକା – ଡମପଡା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ, କନ୍ଦଳେଇର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ସାମାଜିକ ଅନୁଷ୍ଠାନ ଚିନ୍ମୟୀ ଫାଉଣ୍ଡେସନ ଟ୍ରଷ୍ଟର ସହଯୋଗକ୍ରମେ ଏହି ଉତ୍ସବ ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଚିତ୍ର କୁମାର ମାଝୀଙ୍କ ପୌରହିତ୍ୟରେ ଉକ୍ତ ଉତ୍ସବକୁ ଅନୁଷ୍ଠାନିକ ଭାବେ ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ପାରାସେଲର ବାପିନା ନାୟକ ଉଦ୍ଘାଟନ କରି କହିଥିଲେ, କ୍ରୀଡା ହେଉଛି ଜୀବନର ଏକ ଅବିଛେଦ ଅଙ୍ଗ, ଶାରୀରିକ, ମାନସିକ ସ୍ୱଚ୍ଛତା ନିମନ୍ତେ କ୍ରୀଡା ହେଉଛି ମହୌଷଧୀ । ଉତ୍ସବରେ ସମ୍ମାନିତ ଅତିଥି ରୂପେ ସାମାଜିକ କର୍ମୀ ସୁଶାନ୍ତ ସାହୁ, ଯୋଗ ଦେଇ କହିଥିଲେ ଆମ ରାଜ୍ୟରେ ଅନେକ ବିଦ୍ୟାଳୟରେ କ୍ରୀଡା ପାଇଁ ଭିତ୍ତିଭୂମିର ଅଭାବ ରହିଛି । ବିଦ୍ୟାଳୟ ସ୍ତରରୁ କ୍ରୀଡାର ଭିତ୍ତିଭୂମି ସୁଦୃଢ ହେବା ଦରକାର । ତତ୍ସହିତ କ୍ରୀଡା କ୍ଷେତ୍ରରେ ସଫଳତା ପାଇଁ ଉପଯୁକ୍ତ ତାଲିମ ଓ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ଅନ୍ୟତମ ଅତିଥିରୂପେ ବୁଲ୍ସଆଇର ଅଧ୍ୟକ୍ଷ ତ୍ରିଲୋଚନ ବେଉରା, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ଶିକ୍ଷକ ସୁବାସ ଓଝା ଉତ୍ସବରେ ଯୋଗଦେଇ କ୍ରୀଡ଼ାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ୍ କରିଥିଲେ । ଉକ୍ତ କ୍ରୀଡ଼ା ଉତ୍ସବରେ ଅଖା ଦୌଡ, ଅଙ୍କ ଦୌଡ, ବେଙ୍ଗ ଡିଆଁ, ଦଉଡି ଡିଆଁ, ଚକୋଲେଟ୍ ଦୌଡ, ଲେମ୍ବୁ ଚାମଚ, ୫୦ ମିଟର ଦୌଡ, ସଙ୍ଗୀତ ଚୌକି ଆଦି କ୍ରୀଡା ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କରାଯାଇଥିଲା । ଜାନୁଆରୀ ୧୦ ତାରିଖ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ସନ୍ତୋଷୀ ଜୈନ ସୂଚନା ଦେଇଛନ୍ତିି ।