ବିଦ୍ୟାଳୟ ଗୁଡିକ ବୁଲି ତଦାରଖ କଲେ ଜିଲ୍ଲାପାଳ ଓ ବିଧାୟକ
ଛତ୍ରପୁର,(ଦେବଦତ୍ତ ମହାରଣା) : ଆଜି ସ୍କୁଲ ଗୁଡିକ ଖୋଲାଯାଇଛି । କୋଭିଡ୍ ଗାଇଡ୍ଲାଇନ୍କୁ ସ୍କୁଲ ଗୁଡିକ କଡାକଡି ପାଳନ କରୁଛନ୍ତି କି ନାହିଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ତଦାରଖ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଛତ୍ରପୁରର ସର୍ବ ପୁରାତନ ଅନସ୍ଲୋ ହାଇସ୍କୁଲକୁ ପରିଦର୍ଶନ କରି ରାଜ୍ୟ ସରକାର ଧାର୍ଯ୍ୟ କରିଥିବା କୋଭିଡ୍ ଗାଇଡ୍ଲାଇନ୍ ଏବଂ ଛାତ୍ରଛାତ୍ରୀଙ୍କ ପାଠପଢାକୁ ତଦାରଖ କରିଥିଲେ । ଛାତ୍ରଛାତ୍ରୀଙ୍କୁ ନିଜ ଭିତରେ ସାମାଜିକ ଦୂରତା ରଖିବା, ମାସ୍କ ପିନ୍ଧିବା, ସାନିଟାଇଜର କରିବା ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏହାକୁ କଡାକଡି ନଜର ରଖି ନିଜେ ମଧ୍ୟ ଏକ୍ଷେତ୍ରରେ ସଚେତନତା ହେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ସେହିପରି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଚମାଖଣ୍ଡି ହାଇସ୍କୁଲ ଓ ରଘୁନାଥପୁର ସରସ୍ୱତୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରି କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ବିଦ୍ୟାଳୟ ଗୁଡିକ କାର୍ଯ୍ୟକ୍ଷମ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା, ମାସ୍କ ପରିଧାନ ଆଦିକୁ ତଦାରଖ କରିଥିଲେ । ଆମ ରାଜ୍ୟରେ କୋଭିଡ୍କୁ ମୁକାବିଲା କରିବାରେ ଅକ୍ଲାନ୍ତ ଉଦ୍ୟମ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନେ କୃତଜ୍ଞତା ଜଣାଇଥିଲେ ।