ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ଅଭିଭାବକ ମହଲରେ ତୀବ୍ର ବିରୋଧ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏବେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦ରୁ କମ ସଂଖ୍ୟକ ଛାତ୍ର ଛାତ୍ରୀ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ସେଗୁଡିକୁ ନିକଟ ବିଦ୍ୟାଳୟରେ ମିଶାଇ ଦେବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ଭଣ୍ଡାରିପୋଖରୀ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନ ପ୍ରାୟ ୨୮ଗୋଟି ବିଦ୍ୟାଳୟ ବନ୍ଦ ହେବା ପାଇଁ ସରକାରୀ ନିର୍ଦ୍ଦେଶାନାମା ଜାରି ହୋଇଛି । ଘଟଣା ଜଣାପଡିବା ପରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ଷୋଳମପୁର ପଞ୍ଚାୟତ ବାହାଣିଆ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇ ଏହାକୁ ୩କିଲୋମିଟର ଦୂର ବରାହ ନୂଆପଡା ବିଦ୍ୟାଳୟରେ ମିଶାଇବାକୁ ନିର୍ଦ୍ଦେଶ ଆସିଛି । ଅଭିଭାବକ ମାନେ ଏକଥା ଜାଣିବାପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ବାହାଣିଆ ଠାରୁ ନୂଆପଡା ଅନେକଦୂର ହୋଇଥିବାବେଳେ ବାଟରେ କଣ୍ଟିଘାଇ ମୁହଁ ଖୋଳନାଳ ପଡୁଛି । ସୁରକ୍ଷା ଦୃଷ୍ଟିରୁ ଛୋଟଛୋଟ ପିଲାମାନେ ଏତେ ବାଟ ନାଳ ପାରହୋଇ ଗାଡିମୋଟର ଚଳାଚଳ କରୁଥିବା ନିକଟ ପୂର୍ତ୍ତ ବିଭାଗ ରାସ୍ତାରେ ସ୍କୁଲ ଯିବା ସମ୍ଭବ ନୁହେଁ । ତେଣୁ ଶିକ୍ଷା ବିଭାଗ ଏହା ଉପରେ ବିଚାର କରି ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି । ସେହିଭଳି ସାରଣା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଏହାକୁ ଏକ କି.ମି. ଦୂର ଜଳହରି ବିଦ୍ୟାଳୟ ଠାରେ ମିଶାଇଦେବା ପାଇଁ ନିଷ୍ପତ୍ତି ହୋଇଛି । ଏଠାରେ ୨୦ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଥିବା ଓ ଏହା ଏକ ବନ୍ୟା ପ୍ରବଣ ଅଞ୍ଚଳ ହୋଇଥିବାରୁ ବିଦ୍ୟାଳୟ ମିଶ୍ରଣକୁ ଅଭିଭାବକ ମାନେ ବିରୋଧ କରିଛନ୍ତି । ଅନୁରୂପ ଭାବେ ରାମଚନ୍ଦ୍ରପୁର ପଞ୍ଚାୟତ ନେଉଳିଆ ପ୍ରାଥମିକ ବିଦ୍ୟାଳୟକୁ ୨କିମି ଦୂର ପୁରିପଡା ଯାଏ ବିଦ୍ୟାର୍ଥୀ ମାନେ ଯିବାକୁ ହେଲେ ସମ୍ପୂର୍ଣ୍ଣ ଦୁଇକିମି ଜାତୀୟ ରାଜପଥ ପଡୁଛି । ତେଣୁ ଯାତାୟତ ଦୃଷ୍ଟିରୁ ପିଲାମାନେ ଦୈନନ୍ଦିନ ରାଜପଥରେ ଯିବା ଆସିବା କରିବା ବିପଦ ରହିଛି । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଅଭିଭାବକ ତୀବ୍ର ବିରୋଧ କରି ପୂର୍ବବତ ଯଥା ସ୍ଥାନରେ ବିଦ୍ୟାଳୟ ଖୋଲିବାକୁ ଦୃଢ ଦାବି ହେଉଛି । ହରିପୁରବିନ୍ଧା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଜଳମଣ୍ଡୁଆ ବିଦ୍ୟାଳୟକୁ ଓ ବିରୋଳି ହରିଜନ ସାହି ପ୍ରୋଜେକ୍ଟ ବିଦ୍ୟାଳୟ ବିରୋଳି ଶାସନ ବିଦ୍ୟାଳୟକୁ ସ୍ଥାନାନ୍ତରିତ ହୋଇଥିବାରୁ ତୀବ୍ର ବିରୋଧ ଦେଖାଦେଇଛି । ଏସମ୍ପର୍କରେ ଶିକ୍ଷା ବିଭାଗ ନିକଟରେ ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି ଉତ୍ତର ମିଳିପାରିନାହିଁ । ତେଣୁ ପୂର୍ବ ନିଷ୍ପତ୍ତିରୁ ସରକାର ନ ଓହରିଲେ ଅଭିଭାବକ ମାନେ ଆନ୍ଦୋଳନ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି । ଏନେଇ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସରକାରଙ୍କ ନିଷ୍ପତ୍ତି ପିଲାମାନଙ୍କ ହିତ ପାଇଁ ଉଦ୍ଦିଷ୍ଟ ଥିବାବେଳେ ସ୍ଥଳ ବିଶେଷରେ କେଉଁଠି କଣ ବ୍ୟତୀକ୍ରମ ହୋଇଛି ତାହା ଯଥାଶୀଘ୍ର ଅନୁଧ୍ୟାନ କରାଯାଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।