ବିଦ୍ୟାଳୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୈାରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଗତ ୨ ଦିନ ଧରି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନିଙ୍କ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବର ମୁଖ୍ୟ ଅତିଥି ଭାବେ ପୈାରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କାଉନସିଲର ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଭୁପ୍ରସାଦ ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ପୈାର ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା ମଞ୍ଚାସିନ ଥିଲେ। ଉତ୍ତମ ଶିକ୍ଷା ଅଧ୍ୟୟନ ସହ ଖେଳୁଆଡ ମନୋଭାବ ନେଇ ଶିକ୍ଷାର୍ଥୀ ମାନେ ଦେଶରେ ଟେକ ରଖିବା ପାଇଁଁ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ୧ମ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀ ମାନଙ୍କୁ ୩ଟି ବିଭାଗରେ ବିଭକ୍ତ କରାଯାଇଥିଲା। ଦୌଡ଼, ଉଚ୍ଚା ଡିଆଁ, ଲମ୍ବା ଡିଆଁ, ମ୍ୟୁଜିକାଲ ଚେୟାର, ଡିସକସ ଥ୍ରୋ, ଜବଲିଙ୍ଗ ଥ୍ରୋ, ବାଟି ଚାମଚ, ଅଖା ଡିଆଁ ଭଳି ବହୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମାନସ କୁମାର ମଣ୍ଡଳ, ଅନ୍ନପୂର୍ଣ୍ଣା ସାସମଲ, ସୃତି ସାହୁ, ମୁକେଶ ପାଣିଗ୍ରାହୀ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ। ବିଭିନ୍ନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷାର୍ଥୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ରାଜ୍ୟ ସରକାରଙ୍କ ପି.ଏମ. ଶ୍ରୀ ବିଦ୍ୟାଳୟ ଯୋଜନାରେ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଚୟନ କରିଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକ ବୃନ୍ଦ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ପରିଶେଷରେ ସିଆରସିସି ଅଖିଳ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ଫୋଟ –