ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ଗ୍ରାମବାସୀଙ୍କ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦାବି ପତ୍ର 

ଗାଙ୍ଗପୁର , (ସନ୍ତୋଷ ବିଷୋୟୀ): ଶିକ୍ଷାର ଉନ୍ନତି ପାଇଁ ସରକାର ଡିଣ୍ଡିମ ପିଟୁଥିଲେ ମଧ୍ଯ ସରକାରଙ୍କ କିଛି ଭୁଲ୍ ନିଷ୍ପତି ପାଇଁ ଆଜି ବହୁ ଗ୍ରାମାଞ୍ଚଳର ଶିଶୁ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଛନ୍ତି I ଯାହାର ଜ୍ଵଳନ୍ତ ଉଦାହରଣ ହେଉଛି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତର ଗୋପନଗର ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ ନିଷ୍ପତି I ଏହାକୁ ବିରୋଧ କରି ଗୋପନଗର ଗ୍ରାମବାସୀ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି I ସୂଚନା ପ୍ରକାରେ ଜିଲ୍ଲା ପ୍ରାଶାସନର ନିଷ୍ପତି କ୍ରମେ ବେଲଗୁଣ୍ଠା ବ୍ଳକ୍ ର ୨୨ ଟି ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ନିର୍ଦ୍ଦେଶ ରହିଛି I ସେଥି ମଧ୍ୟରୁ ଗାଙ୍ଗପୁର ପଂଚାୟତ ଅନ୍ତର୍ଗତ ଗୋପନଗର ପ୍ରାଥମିକ ବିଦ୍ୟାଳୟରେ ଚାଳଶିରୁ କମ୍ ପିଲା ପଢୁଥିବା ଦର୍ଶାଯାଇ ଏହାକୁ କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ଯାହାକୁ ତୀବ୍ର ବିରୋଧ କରିଛନ୍ତି ଗୋପନଗର ଗ୍ରାମବାସୀ I ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ ଗୋପନଗର ପ୍ରାଥମିକ ବିଦ୍ୟାଳୟ ବେଲଗୁଣ୍ଠା ବ୍ଲକ୍ ର ଏକ ଉପାନ୍ତ ଅଞ୍ଚଳ ବିଦ୍ୟାଳୟ ହୋଇଥିବା ବେଳେ ଏଠାରେ ଗୋପନଗର , ଚଢ଼େୟାପଲ୍ଲୀ , ପିତେଇଝୋଳା , ହିରାସିଙ୍ଗୀ ପଲ୍ଲୀ ଓ ସୁନାପଲ୍ଲୀ ଭଳି ହରିଜନ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଗୁଡିକରୁ ୨୫ ଜଣ ପିଲା ଚଳିତ ବର୍ଷ ପାଠ ପଢୁଛନ୍ତି I ପ୍ରକାଶ ଥାଉକି ହିରାସିଙ୍ଗୀ ପଲ୍ଲୀ ଏବଂ ପିତେଇଝୋଳାରୁ ଗୋପନଗର ବିଦ୍ୟାଳୟକୁ ଆସୁଥିବା ପିଲା ମାନେ ଜଙ୍ଗଲୀଆ ମାଟି ରାସ୍ତାରେ ବେଳେ ବେଳେ ବହୁ ଜଙ୍ଗଲୀ ଜନ୍ତୁଙ୍କ ସମ୍ମୁଖୀନ ହେବାର ନଜିର୍ ରହିଛି I ଏବେ ସେହି ଗ୍ରାମ ଗୁଡ଼ିକ ଠାରୁ କୁମୁଣ୍ଡିର ଦୂରତା ପ୍ରାୟ ଚାରି କିଲୋମିଟରରୁ ଅଧିକ ହୋଇଥିବା ବେଳେ ଏତେ ଦୂରରୁ ଛୋଟ ଛୋଟ ପିଲା ଜଙ୍ଗଲ ରାସ୍ତା ଦେଇ କିପରି ପାଠ ପଢିବାକୁ ଯିବେ ସେ ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡିଛନ୍ତି I ତେଣୁ ଗ୍ରାମବାସୀ ମାନେ ଆଜି ବେଲଗୁଣ୍ଠା ଗୋଷ୍ଟୀ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ ବେହେରାଙ୍କୁ ନିଜର ଅଭିଯୋଗ ଜଣାଇବା ସହ ଛୋଟ ଛୋଟ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ମିଶ୍ରଣକୁ ପୁନର୍ବିଚାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ