ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା :ଏକ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଗୁରୁବାର ଛାତ୍ରାଭିଭାବକମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗରୁ ପ୍ରକାଶ ଯେ ମହାକାଳପଡା ବ୍ଲକ ଅନ୍ତର୍ଗତ ରାଜଗଡ ପଂଚାୟତର ଗୟାସପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟର ଛାତ୍ରାଭିଭାବକମାନେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଥିଲେ ଯେ ୧୮୮୫ମସିହାରେ ପ୍ରତିଷ୍ଠିତ ଗୟାସପୁର ପ୍ରାଥମିକ ବିଦ୍ୟାଳୟଟି ଅଦ୍ୟାବଧି ସୁଚାରୁରୂପେ ଚାଲିଆସୁଥିବା ବେଳେ ଚଳିତ ଶିକ୍ଷାବର୍ଷ ଠାରୁ ସେହି ବିଦ୍ୟାଳୟକୁ ଅନ୍ୟଏକ ବିଦ୍ୟାଳୟ ସହିତ ମିଶ୍ରଣ କରିଦିଆଯିବାକୁ ପ୍ରସ୍ତାବ ରହିଛି । ସେହି ଅଚଂଳର ସର୍ବପୁରାତନ ବିଦ୍ୟାଳୟ ଭାବେ ପରିଚିତ ଏହି ପ୍ରାଥମିକ ବିଦ୍ୟାଳୟରେ ଏବେ ୩୮ ଛାତ୍ରଛାତ୍ରୀ ଥିବା ବେଳେ ଆସନ୍ତା ଶିକ୍ଷାବର୍ଷ ଠାରୁ ଏହା ୫୦ରୁ ଉର୍ଦ୍ଧ୍ୱ ହେବାର ସମ୍ଭାବନା ରହିଛି । ଏଥିସହିତ ଏହି ବିଦ୍ୟାଳୟଟି ଚଳିତବର୍ଷ ଗାରିମା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଏଭଳି ପରିସ୍ଥିତିରେ ଛୋଟଛୋଟ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ବିଦ୍ୟାଳୟକୁ ଅନ୍ୟ ଏକ ବିଦ୍ୟାଳୟ ସହିତ ମିଶ୍ରଣ କଲେ ସ୍କୁଲର କୁନି କୁନି ଛାତ୍ରଛାତ୍ରୀମାନେ ମୁଖ୍ୟ ରାସ୍ତାକୁ ଅତିକ୍ରମକରି ଯିବାକୁ ଅସୁବିଧାର ସମ୍ମୁଖିନ ହେବେ । ତେଣୁ ଏଭଳି ମିଶ୍ରଣ କରାନଯିବାକୁ ଛାତ୍ରାଭିଭାବକଙ୍କ ପକ୍ଷରୁ ଅମୁଲ୍ୟ ଦାସ,ଅବିନାଶ ବେହେରା,ସୁକାନ୍ତି ମନ୍ତ୍ରୀ,ପ୍ରଭାତି ଲେଙ୍କା,ନିରଞ୍ଜନ ମନ୍ତ୍ରୀ,ସୁଶାନ୍ତ ଲେଙ୍କା,ସଶ୍ମିତା ଲେଙ୍କା,ମିନତୀ ଲେଙ୍କା,ଅନୀତା ଲେଙ୍କା ପ୍ରମୁଖ ଶତାଧିକ ଛାତ୍ରାଭିଭାବକ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।