ବିଦ୍ୟାଳୟ ଶିକ୍ଷାର ଗୁରୁତ୍ୱ ଓ ମାନବୃଦ୍ଧି ଉପରେ ଗୁରୁତ୍ୱାରୋପ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ କରଞ୍ଜିଆ ବ୍ଲକ ଅନ୍ତର୍ଗତ ତାଟୋସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦେଓ ମହାବିଦ୍ୟାଳୟର ଅଧ୍ୟକ୍ଷ ତପନ କୁମାର ପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରବୀଣ କୁମାର ବାଣୁଆ ମୁଖ୍ୟଅତିଥି ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ବେଦବ୍ୟାସ ଭୋଇ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ କରଞ୍ଜିଆ ଶାଖାର ମୁଖ୍ୟ ପ୍ରବନ୍ଧକ ଦୀପା ମୁର୍ମୁ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବଦର୍ଶିନୀ ପ୍ରୀତିରେଖା, ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିପିନ ବିହାରୀ ବାରିକ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୁବାଷ ଚନ୍ଦ୍ର ହେମ୍ବ୍ରମ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମଲ୍ଲିକ, କରଞ୍ଜିଆ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ କରୁଣାକର ଦାଶ, ତାଟୋସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ମହମ୍ମଦ ଜାଫର ଆଲାମ ଯୋଗଦେଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ଅଦିତ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିବାପରେ ପ୍ରଧାନଶିକ୍ଷକ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟର ହଷ୍ଟେଲରେ ରହି ଶିକ୍ଷା ଗ୍ରହଣ କରିଥିବା ଶିକ୍ଷାର୍ଥୀଙ୍କ ସାମଗ୍ରିକ ବିକାଶ ଉପରେ ମୁଖ୍ୟଅତିଥି ଗୁରୁତ୍ୱାରୋପ କରିଥିଲେ । ସମାଜରେ ଗୁରୁ ଅନେକ ଅଛନ୍ତି ଏବଂ ଶିକ୍ଷା ଗ୍ରହଣ କରିବାର ମାଧ୍ୟମ ଅନେକ ମାତ୍ର ବିଦ୍ୟାଳୟ ଶିକ୍ଷାଦାନ ଦ୍ୱାରା ଶିକ୍ଷାର୍ଥୀର ପୂର୍ଣ୍ଣାଙ୍ଗ ବିକାଶ ହେବା ସହ ବିଦ୍ୟାଳୟ ଶିକ୍ଷାର ଗୁରୁତ୍ୱ ବୃଦ୍ଧି ପାଇଥାଏ ବୋଲି ମୁଖ୍ୟବକ୍ତା ପ୍ରକାଶ କରିଥିଲେ । ସଭାରେ ବିଦ୍ୟାଳୟର ଅନେକ ସମସ୍ୟାର ନିରାକରଣ ନିମନ୍ତେ ପ୍ରଧାନଶିକ୍ଷକ ମୁଖ୍ୟଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାର୍ଷିକ ଉତ୍ସବ ନିମନ୍ତେ ଆୟୋଜିତ କ୍ରୀଡା ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ସହକାରୀ ଶିକ୍ଷକ ଅଦିତ କୁମାର ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷାର୍ଥୀ ପ୍ରଜ୍ଞା ପରମିତା ନାଏକ ସହଯୋଗ କରିଥିଲେ । ସହକାରୀ ଶିକ୍ଷକ ରାଜ କୁମାର ସେଠୀ ଧନ୍ୟବାଦ ଅର୍ପଣ ପରେ ଶିକ୍ଷାର୍ଥୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।