ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବା ନିମନ୍ତେ ଦାବି

ଛତ୍ରପୁର, (ଦେବଦତ୍ତ ମହାରଣା):ପଞ୍ଜୀକୃତ ଓ ତାଲିମ ପ୍ରାପ୍ତ ସ୍ୱତନ୍ତ୍ର ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ସ୍ତରରେ ନିଯୁକ୍ତି ପ୍ରଦାନ କରିବା ଦାବି ନେଇ ଶୁକ୍ରୁବାର ବିଶ୍ୱ ଦିବ୍ୟାଙ୍ଗ ଦିବସ ଅବସରରେ ଓଡିଶା ସ୍ୱତନ୍ତ୍ର ଶିକ୍ଷାଦାତା ସଂଗଠନ ଗଞ୍ଜାମ ଜିଲ୍ଲା ତରଫରୁ ଏକ ଦାବି ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କୁ ଭେଟି ପ୍ରଦନ କରାଯାଇଛି । ପ୍ରତ୍ୟେକ ବର୍ଷ ଡିସେମ୍ବର ୩ ତାରିଖ ଦିନ ସରକାରଙ୍କ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ଭାବେ ପାଳନ କରାଯାଉଛି । ସେମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସେଥିପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ ହେଉଛି କିନ୍ତୁ, ସବୁ ଯୋଜନା ଯୋଜନାରେ ହିଁ ରହିଯାଉଛି ସିନା ବିଦ୍ୟାଳୟ ସ୍ତରରେ ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା ଦିଗରେ ଉନ୍ନତି ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଆରପିଡବ୍ଲୁଡି ଆକ୍ଟ ୨୦୧୬ ଉଲ୍ଲେଖ ରହିତିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବାରୁ ସଂଘ ଅସନ୍ତୋଷ ପ୍ରକାଶ କରିଛି । ଅନ୍ତେନିବେଶୀ ଶିକ୍ଷା ଅନୁସାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ସାଧାରଣ ବିଦ୍ୟାଳୟରେ ସାଧାରଣ ପିଲାଙ୍କ ସହ ଗୋଟିଏ ଛାତ ତଳେ ଏକାଠି ପାଠ ପଢି ପାରିବେ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ମଧ୍ୟ ସାଧାରଣ ବିଦ୍ୟାଳୟରେ ନାମ ଲେଖାଉଛନ୍ତି କିନ୍ତୁ, ସେମାନଙ୍କୁ ଶିକ୍ଷା ଦେବା ନିମନ୍ତେ ସେମାନଙ୍କ ପାଇଁ ତାଲିମ ନେଇଥିବା ସ୍ୱତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉନାହିଁ । ସ୍ୱତନ୍ତ୍ର ଶିକ୍ଷକ ମାନେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ପଢାଇବା ପାଇଁ ୨ ବର୍ଷ ତାଲିମ ନେଉଛନ୍ତି ଏବଂ ଆରସିଆଇ ରେ ଏଥି ସକାଶେ ନାମ ପଞ୍ଜୀକରଣ କରିଛନ୍ତି । ଯେଉଁ ମାନେ ଆରସିଆଇ ରେ ନାମ ପଞ୍ଜୀକରଣ କରିନାହାନ୍ତି ସେମାନେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ନାମା ରହିଛି । ଏଣୁ ସରକାର ସମସ୍ତ ବିଦ୍ୟାଳୟ ଗୁଡିକରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପ୍ରଦାନ କରିବା ଦ୍ୱାରା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାର ବିକାଶ ହୋଇପାରିବ ବୋଲି ସଂଘର କର୍ମକର୍ତ୍ତ୍ରା ମାନେ କହିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ସଂଘର ନୃସିଂହ ଡାକୁଆ, ଶିବ ପ୍ରସାଦ ସେଠୀ, ବିଜ୍ଞାନ ନାରାୟଣ ପାତ୍ର, ସୁନୀଲ କୁମାର ସେଠୀ, ମୀରା ସାହୁ, ରାମକୃଷ୍ଣ ରାଉତ, ଦେବପ୍ରିୟା ନାହାକ, ପ୍ରଭାତୀ କୁମାରୀ ନାହାକ, ଆଲଫା ମହାରଣା, ଆରତି ପରିଡା, ଗୌରୀ ଶଙ୍‌କର ସାହୁ, ଆଶୁତୋଷ ନାୟକଙ୍କ ସମେତ ବହୁ ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସଂଘ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ