ବିଦ୍ୟୁତ୍ ଆଘାତରେ ନାବାଳକ ମୃତ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ସ୍ଥାନୀୟ ପୌରାଂଚଳ ସିନେମାହଲ ଛକ ସ୍ଥିତ ଏକ ବାସଭବନରେ ବିଦ୍ୟୁତ୍ ଆଘାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମର ସିମାଂଚଳ ସାହୁଙ୍କ ପୁତ୍ର ଚନ୍ଦନ ସାହୁ (୧୨) । ପ୍ରକାଶ ଯେ, ନାବାଳକ ଜଣକ ମାମୁଁ ଘର ଗ୍ରାମ ହିଂଜିଳିକାଟୁକୁ ଆସିଥିଲେ । ଗୁରୁବାର ଅପରାହ୍ନରେ ଘରେ ଖେଳୁଥିବା ସମୟରେ ଅସାବଧାନ ବଶତଃ ବିଦ୍ୟୁତ୍ ସଂପର୍ଷ୍ପରେ ଆସି ଗୁରୁତର ହୋଇ ପଡ଼ିଥିଲେ । ପରିବାର ସଦସ୍ୟ ନାବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡ଼ାକ୍ତର, ନାବାଳକଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ବ୍ରହ୍ମପୁର ମେଡ଼ିକାଲ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଶବକୁ ଜବତ କରିଛି । ଶୁକ୍ରବାର ବ୍ୟବଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।


