ବିଦ୍ୟୁତ୍ ଆଘାତରେ ନାବାଳକ ମୃତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ମଙ୍ଗଳବାର ସକାଳେ ହିଞ୍ଜିଳି ଥାନା ବେଲଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ବିଦ୍ୟୁତ ଆଘାତରେ ଜଣେ ନାବାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହିଞ୍ଜିଳି ଥାନା ଗଣ୍ଡଳା ଗ୍ରାମ ବଡ଼ସାହିର ଚିତ୍ତରଞ୍ଜନ ମହାନ୍ତି (୧୫) । ଏ ନେଇ ହିଞ୍ଜିଳି ଥାନାରେ ନଂ ୧୩/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ପ୍ରକାଶ ଯେ, ସୋମବାର ମୃତ ଚିତ୍ତରଞ୍ଜନ ସର୍ମ୍ପକୀୟଙ୍କ ଭୋଜି ଉପଲକ୍ଷେ ବେଲଗାଁ କୁ ଆସିଥିଲେ । ସୋମବାର ରାତିରେ ବେଲଗାଁ ବେଲେଶ୍ୱର ମନ୍ଦିର ପରିସରରେ ଭୋଜି କାର୍ଯ୍ୟ ଶେଷ ହେବା ପରେ ମଙ୍ଗଳବାର ମନ୍ଦିର ପରିସରରେ ହଣ୍ଡାହାଣ୍ଡି ସଫା କରୁଥିଲେ । କାମ ସରିବା ପରେ ମନ୍ଦିର ପରିସରରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ନିକଟରେ ବସିଥିବା ବେଳେ ଅସାବଧାନବଶତଃ ବିଦ୍ୟୁତ ଖୁଣ୍ଟ ସଂସ୍ପର୍ଶରେ ଆସି ସେ ଗୁରୁତର ଆହତ ହୋଇଥିଲେ ।ସେଠାରେ ଉପସ୍ଥିତ ଥିବା ସର୍ମ୍ପକୀୟ ଆହତ ନାବାଳକଙ୍କୁ ଉଦ୍ଧାର ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ । ସେଠାରେ ଡାକ୍ତର ନାବାଳକଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ନେଇ ହିଞ୍ଜିଳିକାଟୁ ବିଦ୍ୟୁତ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସତ୍ୟ ନାରାୟଣ ଦାଶଙ୍କୁ ପଚାରିବାରୁ ସେ କୁହନ୍ତି ମନ୍ଦିରକୁ ଦୀର୍ଘ ଦିନ ଧରି ବିଦ୍ୟୁତ ସେବା ବିଚ୍ଛିନ୍ନ କରାଯାଇଥିଲା । ହୁକିଂ ସହାୟତାରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରାଯାଇଛି । ଏଣୁ ଘଟଣାର ତଦନ୍ତ କରାଯାଇ ମନ୍ଦିର ପରିଚାଳନା କମିଟି ବିରୋଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ମନ୍ଦିର ପରିଚାଳନା କମିଟିଙ୍କ ଦାୟିତ୍ଵହୀନ କାର୍ଯ୍ୟ ଯୋଗୁଁ ମୋ ପୁଅର ମୃତ୍ୟୁ ଘଟିଛି ବୋଲି ମୃତକଙ୍କ ମା ଅଭିଯୋଗ କରିଛନ୍ତି ।


