ବିଦ୍ୟୁତ୍ ଆଘାତରେ ଶ୍ରମିକ ଗୁରୁତର

ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ଗଣ୍ଡଳା ଗ୍ରାମରେ ଶନିବାର ଅପରାହ୍ନରେ ବିଦ୍ୟୁତ ଆଘାତରେ ଜୈନିକ ଟ୍ରକ ଶ୍ରମିକ ଗୁରୁତର ଆହାତ ହୋଇଛନ୍ତି । ଆହତ ଜଣକ ପୁରୁଷୋତ୍ତମପୁର ଥାନା ଗାଙ୍ଗଦହଣି ଗ୍ରାମର ନାରାୟଣ ବେହେରା (୪୨) । ନାରାୟଣ ପ୍ରତିଦିନ ଭଳି ଶନିବାର ଦିନ ମଧ୍ୟ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବାଲି ବୋଝେଇ ଟ୍ରକରେ ଯାଇଥିଲେ । ଶନିବାର ଅପରାହ୍ନ ପ୍ରାୟ ୧ ଘଂଟା ସମୟରେ ହିଂଜିଳି ଥାନା ଗଣ୍ଡଳା ଗ୍ରାମ ଧୋବାସାହି ନିକଟରେ ବାଲି ବୋଝେଇ ଟ୍ରକ( ନଂ- ଓଆର୦୭ ୭୩୦୮)ଟି ଯାଉଥିବା ବେଳେ ଉକ୍ତ ରାସ୍ତା ଉପର ଦେଇ ପ୍ରବାହିତ ୧୧ କେଭି ବିଦ୍ୟୁତ ତାର କମ୍ ଉଚ୍ଚତାରେ ରହିଥିବାରୁ ଶ୍ରମିକ ଜଣକ ଗାଡ଼ି ଉପରେ ରହି ଏକ ଲମ୍ବା ବାଡ଼ି ସାହାର୍ଯ୍ୟରେ ବିଦ୍ୟୁତ ତାରକୁ ଉପରକୁ ଟେକୁଥିବା ବେଳେ ବିଦ୍ୟୁତ ସଂଷ୍ପର୍ଶରେ ଆସି ଯାଇଥିଲେ ଏବଂ ପରେ ତଳକୁ ଖସି ପଡ଼ି ଗୁରୁତର ଆହାତ ହୋଇଥିଲେ । ସ୍ଥାନୀୟ ଲୋକେ ଆହାତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଥାଉକି, ସଂପୃକ୍ତ ସ୍ଥାନରେ କମ୍ ଉଚ୍ଚତାରେ ବିଦ୍ୟୁତ ତାର ପ୍ରବାହିତ ହୋଇଥିବାରୁ ବିପଦର ଆଶଙ୍କା କରି ଗ୍ରାମବାସୀ ସ୍ଥାନୀୟ ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବହୁବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଶନିବାର ଦିନ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା ବୋଲି ଗ୍ରାମବାସୀ କହିଛନ୍ତି । ତେବେ ଏ ନେଇ ହିଂଜିଳି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ