ବିଦ୍ୟୁତ୍ ଦର ବୃଦ୍ଧି ପ୍ରସଙ୍ଗ ;ଦକ୍ଷିଣ ଓଡିଶା ଜୋନ୍‌ସ୍ତରୀୟ ଜନ ଶୁଣାଣି କୁ ବିରୋଧ କଲେ ଉପଭୋକ୍ତା ମାନେ

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଦକ୍ଷିଣ ଓଡିଶା ଜୋନ୍‌ସ୍ତରୀୟ ଜନ ଶୁଣାଣିରେ ସମୂହ ବିରୋଧ କରିବା ସହ ଗୃହରେ ହୋହାଲା କଲେ ଉପଭୋକ୍ତା ମାନେ । ଏହି ଜନ ଶୁଣାଣିରେ ମତାମତ ଗ୍ରହଣ କରିବା ଲାଗି ଉପସ୍ଥିତ ଥିବା ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ଅଧ୍ୟକ୍ଷ ଉପେନ୍ଦ୍ର ନାଥ ବେହେରା ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କ ଅଭିଯୋଗକୁ ଶୁଣିଥିଲେ । ଅନୁଷ୍ଠିତ ଜନ ଶୁଣାଣି ସମସ୍ତ ବିଷୟକୁ ଶୁଣିବା ପରେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ଅଧ୍ୟକ୍ଷ ଶ୍ରୀ ବେହେରା ବିଦ୍ୟୁତ୍ ସେବାରେ ଦେଖା ଦେଇଥିବା କିଛି ତ୍ରୁଟିକୁ ସୁଧାର କରିବା ଲାଗି ଟାଟା ପାୱାର ଦକ୍ଷିଣ ଓଡିଶା ବିତରଣ ଲିମିଟେଡକୁ ଅବଗତ କରାଇଥିଲେ । ଏଥିସହ ଓଡିଶାର ତିନୋଟି ଜୋନ୍‌ରେ ଏଭଳି ଜନଶୁଣାଣି ଶେଷ ହୋଇ ସାରିଛି । ଏହାପରେ ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ବିଦ୍ୟୁତ୍ ଦର ପ୍ରସଙ୍ଗରେ ଯାହା ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ବେହେରା କହିଥିଲେ । ଏହି ଜନ ଶୁଣାଣିରେ ଓଡିଶା ବିଦ୍ୟୁତ୍ ନିୟମାକ ଆୟୋଗ ର ସଭ୍ୟ ସୌରୀକାନ୍ତ ପାଢୀ ଓ ଜି.ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟାନଙ୍କ ମଧ୍ୟରେ ଟାଟା ପାୱାର ଦକ୍ଷିଣ ଓଡିଶା ବିତରଣ ଲିମିଟେଡ ସିଇଓ ଅରବିନ୍ଦ ସିଂ, ଏଜିଏମ୍ (ଫାଇନାନ୍ସ) ବିନୋଦ ବିହାରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଟାଟା ପାୱାର ଦକ୍ଷିଣ ଓଡିଶା ବିତରଣ ଲିମିଟେଡ ଗଞ୍ଜାମ ଜିଲ୍ଲା ଅଧୀକ୍ଷଣ ଯନ୍ତ୍ରୀ ସନତ କୁମାର ଜେନା, ଡିଜିଏମ୍‌(ଏଚ୍‌.ଆର୍ ) ଏଚ୍‌.କେ.ସାହୁ, ଛତ୍ରପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ ସୁଦର୍ଶନ ବେହେରା, ସହକାରୀ ଯନ୍ତ୍ରୀ ରାଜକିଶୋର ବଲ୍ଲଭ, କନିଷ୍ଠ ଯନ୍ତ୍ରୀ ଉମାଶଙ୍କର ଦାଶ ଓ ସୁଧୀର କୁମାର ଗୈାଡ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ଅନ୍ୟପଟେ ଏହାକୁ ବିରୋଧ କରି ଏମାନେ ଯାହାକହିଲେ …
ଟାଟା କମ୍ପାନି ସ୍ୱାର୍ଥରେ ଏହି ଜନ ଶୁଣାଣି କରାଯାଇଛି । ସଠିକ୍ ତଥା ସାର୍ବଜନୀକ ଭାବେ ଏହି ଜନ ଶୁଣାଣି ହୋଇନାହିଁ । ୨୯ ଶହ କୋଟି ବିଦ୍ୟୁତ୍ ବିଲ୍ ବକେୟା ଥିବା ବଡ ବଡ ସଂସ୍ଥାକୁ ଛଡାଯାଉଛି । ହଜାରରୁ ଅଧିକା ବିଲ୍ ବକେୟା ରହିଲେ ନିରୀହ ଜନସାଧାରଣଙ୍କୁ ଭିଜିଲାନ୍ସ ଠାରୁ ଆରମ୍ଭ କରି ପୁଲିସ ଭୟ ଦେଖାଇ ସେମାନଙ୍କ ବିଦ୍ୟୁତ୍ ସରବରାହ୍ ବିଚ୍ଛିନ୍ନ କରାଯାଉଛି । କରୋନା ସମୟରେ ଜନସାଧାରଣ ମରି ମରି ବଞ୍ଚିବା ଭଳି ସ୍ଥିତିରେ ବିଦ୍ୟୁତ୍ ଦରକୁ ବୃଦ୍ଧି କରିବା ପାଇଁ ଟାଟା କମ୍ପାନି ସହ ସରକାର ମିଳି ଭକତ ଭଳି ପାଲା କରୁଥିବା କହି ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ଏନ୍‌.ନାରାୟଣ ରେଡ୍ଡି କହିଥିଲେ । ସେହିପରି ଅନ୍ୟଜଣେ ଶ୍ରମିକ ନେତା ତଥା ବିଜୁ ସାମ୍ମୁଖ୍ୟ ର ଜିଲ୍ଲା ଉପସଭାପତି ଶଙ୍କର ଦାଶ ବିଦ୍ୟୁତ୍ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ତୀବ୍ର ନିନ୍ଦା କରିବା ସହ ଜନ ଶୁଣାଣିକୁ ବାତିଲ୍ କରିବାକୁ ଦାବି କରିଥିଲେ । ଦୀର୍ଘ ୨୫ ବର୍ଷ ହେଲା ଏହି ଅଞ୍ଚଳର ଶହ ଶହ ଏକର ଜମି ନେଇ ଅଞ୍ଚଳ ପାଇଁ କି ପ୍ରକାର ବିକାଶ କରିଛି । ବେକାରୀ ଯୁବକମାନଙ୍କୁ ଚାକିରି ଦେବା ନା’ରେ ପ୍ରତାରଣ କରିବା ଛଡା ସେ ଆଉ କିଛି ଶିଖି ନାହିଁ । ପୁଣି ତା’ ହାତରେ ଓଡିଶା ସରକାର ୨୫ ବର୍ଷ ପାଇଁ ବିଦ୍ୟୁତ୍ ପରିଚାଳନା ଭାର ଦେଇଛନ୍ତି । ପୁଣି ଆଜିର ଜନ ଶୁଣାଣିରେ କେବଳ ୧୫ରୁ ୨୦ ଜଣଙ୍କ ଉପସ୍ଥିତି ବିଦ୍ୟୁତ୍ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଛି । ଏଣୁ ସଂପୂର୍ଣ୍ଣ ଭାବେ ବିଦ୍ୟୁତ୍ ଦରବୃଦ୍ଧି ପ୍ରସଙ୍ଗରୁ ଓଡିଶା ସରକାର ଏଡାଇ ଦେବାକୁ ଚିନ୍ତା କରି ନିରୀହ ଜନସାଧାରଣଙ୍କୁ ମୁକ୍ତ କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ଦାଶ କହିଥିଲେ । ଏହାସହ ଚାଷୀମାନଙ୍କ ହୀତ ନିମନ୍ତେ ମାଗଣାରେ ବିଦ୍ୟୁତ୍ ଯୋଗାଇବାକୁ ମଧ୍ୟ ସେ ଦାବି କରିଥିଲେ । ଦିଗପହଣ୍ଡି ବ୍ଲକ ଗୈାତମୀ ପଞ୍ଚାୟତରେ କିଛି ଉପଭୋକ୍ତା ଗରୀବ ଉପଭୋକ୍ତା ୨୦ହଜାର ଲେଖାଏଁ ଜୋରିମାନା ଭିଜିଲନ୍ସ ପକ୍ଷରୁ ପକାଯାଇଛି । ଏହା କଣ ମୋ ସରକାର ନୀୟମ ରହିଛି ବୋଲି ମଧ୍ୟ ଶ୍ରୀ ଦାଶ ପ୍ରଶ୍ନ କରିଥିଲେ ।ସିପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାଶ ଏହି ଜନ ଶୁଣାଣିରେ ଯୋଗଦେଇ ବିଦ୍ୟୁତ୍ ଦର ବୃଦ୍ଧି ପ୍ରସଙ୍ଗକୁ ବିରୋଧ କରିଥିଲେ । ଆଜି ସୁଦ୍ଧା ଚାଷୀଙ୍କୁ ଜଳସେଚନ ଲାଗି ବିଦ୍ୟୁତ୍ ସରବରାହ ଉତ୍ତମ ଭାବେ କାର୍ଯ୍ୟ କରାଯାଉ ନାହିଁ । ଅନ୍ୟରାଜ୍ୟ ଭଳି ଓଡିଶାର ଚାଷୀଙ୍କ ହିତରେ ବିଦ୍ୟୁତ୍ ବିଲ୍‌କୁ ଛାଡ କରିବାକୁ ଦାବି କରିଥିଲେ । କରୋନାରେ ଲୋକଙ୍କୁ ଖାଇବାକୁ ମିଳୁନଥିବା ବେଳେ ଟାଟା ର ସ୍ୱାର୍ଥ ନିମନ୍ତେ ଏହି ଜନ ଶୁଣାଣୀ କରାଯାଉଛି ବୋଲି ମଧ୍ୟ ସେ କହିଥିଲେ ।ସେହିପରି ଅନନ୍ତ ନାରାୟଣ ମହାନ୍ତି ଉପଭୋକ୍ତାଙ୍କୁ ଉପଯୁକ୍ତ ସେବା ନ ଯୋଗାଇ ବିଦ୍ୟୁତ୍ ଦର ବୃଦ୍ଧି କରିବା ପ୍ରସଙ୍ଗକୁ ଘୋର ବିରୋଧ କରିଥିଲେ । ବିଜେପି ନେତା ଶରତ କୁମାର ସାହୁ ଜନସାଧାରଣଙ୍କ ସ୍ୱାର୍ଥ ଲାଗି ଅନୁଷ୍ଠିତ ଜନ ଶୁଣାଣିକୁ ଦକ୍ଷିଣ ଓଡିଶାର ବୃହତ୍ତମ ସହର ବ୍ରହ୍ମପୁର ଠାରେ ନ କରି ଏହି ବନ୍ଦ କଠୋରୀ ମଧ୍ୟ କରିଥିବାରୁ ବିରୋଧ କରିଥିଲେ । ଏଣୁ ଏହି ଜନ ଶୁଣାଣିକୁ ବାତିଲ୍ କରି ପୁଣି ଥରେ ବ୍ରହ୍ମପୁର ଠାରେ କରିବା ପାଇଁ ଦାବି କରିଥିଲେ । ସେହିପରି ଯୁଧିଷ୍ଠୀର ବେହେରା, ଆଇନଜୀବୀ ଆଦିତ୍ୟ ନାରାୟଣ ମିଶ୍ର, ପ୍ରକାଶ ନାୟକ, ଗୌରୀଶଙ୍କର ପାତ୍ର, ଗୋଦାବରିଶ ପାଣିଗ୍ରାହୀ, ଲକ୍ଷ୍ମୀଧର ସାହୁ, ଓଡିଶା ବିଦ୍ୟୁତ୍ ଠିକାଦର ସଂଘ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରୁ ଆସିଥିବା ବେନାମି ଚିଙ୍ଗୁଡି ଚାଷୀ, ଶୀତଳ ଭଣ୍ଡାର ସଂଘ ପ୍ରମୁଖ ବିଦ୍ୟୁତ୍ ଦର ବୃଦ୍ଧି ପ୍ରସଙ୍ଗକୁ ବିରୋଧ କରିବା ସହ ପୂର୍ବରୁ ବିଦ୍ୟୁତ୍ ସେବା ଯୋଗାଇବାରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ଅଞ୍ଚଳର ବିଭିନ୍ନ ଶିଳ୍ପ ଅନୁଷ୍ଠାନର କର୍ତ୍ତୃପକ୍ଷମାନେ ମଧ୍ୟ ଯୋଗଦେଇ ପୂର୍ବ ଭଳି ପ୍ରତିଷ୍ଠାନ ଗୁଡିକୁ ଉତ୍ତମ ବିଦ୍ୟୁତ୍ ସେବା ଯୋଗାଇବାରେ ସହାୟକ ହେବା ଲାଗି ମତାମତ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ