ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ବଦଳି ନୋଟିସ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡା ନେସ୍କୋ କାର୍ଯ୍ୟାଳୟଠାରେ କାର୍ଯ୍ୟରତ ଜଣେ ବିଦ୍ୟୁତ କର୍ମଚାରୀ ଲାଇନମ୍ୟାନ୍ଙ୍କ ଅନ୍ୟତ୍ର ବଦଳି କରିବା ପାଇଁ ଯୋଡା ବ୍ଲକ ଅନ୍ତର୍ଗତ ବିରିକଳା ଓ ଦେଓଝର ଗ୍ରାମପଂଚାୟତର ଗ୍ରାମବାସୀମାନେ ଜିଲ୍ଲାପାଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ନେସ୍କୋ, କେନ୍ଦୁଝରଙ୍କ ଠାରେ ଲିଖିତ ଅଭିଯୋଗ କରିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି । ବିରିକଳା ଓ ଦେଓଝର ଗ୍ରାମପନଚାୟତର ଗ୍ରାମବାସୀମାନେ ଲାଇନମ୍ୟାନ୍ ଚନ୍ଦନ କୁମାର ବେହେରାଙ୍କ ନାମରେ ବିଭିନ୍ନ ଅନିୟମିତତା କାର୍ଯ୍ୟ ତଥା ଉତ୍କୋଚ ନେଉଥିବା ଅଭିଯୋଗ କରି ଲିଖିତ ଭାବେ କେନ୍ଦୁଝର ଜିଲାପାଳ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ନେସ୍କୋ, କେନ୍ଦୁଝରଙ୍କଠାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପାଇବା ପରେ ଯୋଡା ନେସ୍କୋ କାର୍ଯ୍ୟାଳୟ ପକ୍ଷରୁ ସଂପୃକ୍ତ ଲାଇନମ୍ୟାନ୍ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଲାଇନମ୍ୟାନ୍ ଚନ୍ଦନ କୁମାର ବେହେରାଙ୍କୁ ଅନ୍ୟତ୍ର ବଦଳି କରାଯିବା ନେଇ ଯୋଡା ଏସଡିଓ ସୋମବାର ନୋଟିସ ଜାରି କରିବା ସହିତ ଏହି ଅଭିଯୋଗ ପତ୍ର ନେସ୍କୋ ଭିଜିଲାନ୍ସ ମ୍ୟାନେଜରଙ୍କୁ ମଧ୍ୟ ପଠାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାର ତଦନ୍ତ ରିପୋର୍ଟ ଆସିବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋରଂଜନ ଜେନା ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି, ଯୋଡା ନେସ୍କୋ କାର୍ଯ୍ୟାଳୟର ଲାଇନମ୍ୟାନ ଚନ୍ଦନ କୁମାର ବେହେରା ବିରିକଳା ଓ ଦେଓଝର ଗ୍ରାମପନଚାୟତର ଦାୟିତ୍ୱ ନେଇଛନ୍ତି । ସେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଲାଇନମ୍ୟାନ୍ ଭାବେ କାର୍ଯ୍ୟ କରି ଆସୁଥିଲେ ହେଁ ତାଙ୍କର ଅନ୍ୟତ୍ର ବଦଳି କରାଯାଉନାହିଁ । ଏହା ସହିତ ସେ ଲୋକମାନଙ୍କଠାରୁ ବିନା ରସିଦରେ ଟଙ୍କା ନେଇ ବିଦ୍ୟୁତ ସଂଯୋଗ ଓ ମିଟର ବକ୍ସ ଲଗାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଚନ୍ଦନ କୁମାର ବେହେରାଙ୍କୁ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଅନୁକମ୍ପା ପ୍ରଦର୍ଶନ କରୁଥିବାରୁ ସେ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି ।