ବିଦ୍ୟୁତ୍ ବିଭାଗ ଟାଟା କମ୍ପାନୀ ହାତକୁ ଯିବାପରେ ବଢ଼ିଛି ଉପଭୋକ୍ତାଙ୍କ ଦୂର୍ଦ୍ଦଶା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବିଦ୍ୟୁତ୍ ଉପଭୋକ୍ତାଙ୍କର ଆଶା ଥିଲା ବିଦ୍ୟୁତ୍ ବିଭାଗକୁ ଟାଟା ଭଳି ଏକ ନାମିଦାମୀ କମ୍ପାନୀ ନେବାପରେ ଉପଭୋକ୍ତାଙ୍କ ସୁବିଧା ପାଇଁ ବିଦ୍ୟୁତ୍ ବିଭାଗରେ ଏକ ବିରାଟ ପରିବର୍ତ୍ତନ ହେବ I କିନ୍ତୁ ଉପଭୋକ୍ତାଙ୍କର ସ୍ଵପ୍ନ ସ୍ଵପ୍ନରେ ହିଁ ରହିଗଲା I ଟାଟା କମ୍ପାନୀ ହାତକୁ ଯିବାପରେ ବିଦ୍ୟୁତ୍ ବିଭାଗରେ ପରିବର୍ତ୍ତନ ଘଟିଛି ସତ କିନ୍ତୁ ତାହା ଉପଭୋକ୍ତାଙ୍କର ସୁବିଧା ପାଇଁ ନୁହେଁ, ଏହି ପରିବର୍ତ୍ତନ କେବଳ ଉପଭୋକ୍ତାଙ୍କୁ ଶୋଷଣ କରିବାକୁ ହୋଇଛି ବୋଲି ଅଭିଯୋଗ ହେଉଛି I ବିଶେଷ କରି ବିଦ୍ୟୁତ୍ ବିଭାଗ ଟାଟା କମ୍ପାନୀ ହାତକୁ ଯିବା ପରେ ବିଦ୍ୟୁତ୍ ଦେୟ ଅସ୍ୱାଭାବିକ ଭାବେ ବଢିଛି I ପୂର୍ବରୁ ଯେଉଁ ଉପଭୋକ୍ତାଙ୍କର ମାସିକ ବିଦ୍ୟୁତ୍ ବିଲ୍ ୩୦୦ ଟଙ୍କା ଆସୁଥିଲା ବର୍ତ୍ତମାନ ସେହି ଉପଭୋକ୍ତାଙ୍କର ବିଲ୍ ୧୦୦୦ରୁ ୧୨୦୦ ଟଙ୍କା ପର୍ଯ୍ୟନ୍ତ ଆସୁଛି I ଯେଉଁମାନଙ୍କର ବିଲ୍ ୫୦୦ ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ଆସୁଥିଲା ବର୍ତ୍ତମାନ ସମୟରେ ସେହି ଉପଭୋକ୍ତାଙ୍କର ମାସିକ ବିଲ୍ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଆସୁଛି I ବିଶେଷ କରି ପୁରୁଣା ମିଟର୍ ଲାଗିଥିବା ଉପଭୋକ୍ତାଙ୍କର ବିଲ୍ ଅପେକ୍ଷାକୃତ କମ୍ ଆସୁଥିବା ବେଳେ ଟାଟା କମ୍ପାନି ଲଗାଇଥିବା ମିଟର୍ ଗୁଡ଼ିକରେ ପ୍ରାୟ ତିନି ଗୁଣା ଅଧିକ ବିଲ୍ ଆସୁଛି I ତେଣୁ ଉପଭୋକ୍ତାଙ୍କର ଟାଟା କମ୍ପାନି ଲଗାଇଥିବା ମିଟର୍ ଉପରେ ସନ୍ଦେହ ବଢ଼ିବାକୁ ଲାଗିଲାଣି I ଉପଭୋକ୍ତାଙ୍କର ଅଭିଯୋଗ ଯେ ଏହି ମିଟର୍ ଦ୍ୱାରା ଟାଟା କମ୍ପାନି ବିଧିବଦ୍ଧ ଭାବେ ଦିନ ଦ୍ୱିପ୍ରହରେ ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସେମାନଙ୍କୁ ଲୁଟିବାରେ ଲାଗିଛି I ତେଣୁ ସରକାରୀ ସ୍ତରରେ ଏହି ମିଟର୍ ଗୁଡ଼ିକର ଉଚ୍ଚ ସ୍ତରୀୟ ସିଏଜି ଯାଞ୍ଚ୍ କରାଯିବା ସହିତ ବୈଷୟିକ ବିଭାଗ ଦ୍ୱାରା ଏହାର ପରୀକ୍ଷା ନୀରିକ୍ଷା କରାଯାଇ ଉପଭୋକ୍ତାଙ୍କ ଘରେ ଲଗାଯାଉ ବୁଦ୍ଧିଜୀବୀ ଦାବି କରିଛନ୍ତି I ବର୍ତ୍ତମାନ ବିଦ୍ୟୁତ୍ ବିଭାଗର ଆଉ ଏକ ଘୋଟାଲା ନଜରକୁ ଆସିଛି I ବିଭାଗ ପ୍ରତି ମାସରେ ମିଟର୍ ରିଡିଂ ନେବା ବଦଳରେ ମନଇଛା ୩୮ ଦିନ/ ୪୦ ଦିନ ବ୍ୟବଧାନରେ ରିଡିଂ ନେଉଛି I ଯାହା ଫଳରେ ଉପଭୋକ୍ତା ନିଜେ ପ୍ରତିମାସରେ ବ୍ୟବହାର କରିଥିବା ୟୁନିଟ୍ ଏକକ ବଦଳରେ ୩୮ଦିନରେ ବ୍ୟବହାର କରିଥିବା ୟୁନିଟ୍ ଏକକ ପାଇଁ ବିଲ୍ ପୈଠ କରିବା ପାଇଁ ବାଧ୍ୟ ହେଉଛନ୍ତି I ଉଦାହରଣ ସ୍ଵରୁପ ଜଣେ ବିଦ୍ୟୁତ୍ ଉପଭୋକ୍ତା ଗୋଟିଏ ମାସରେ ୫୦ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କଲେ ୟୁନିଟ୍ ପିଛା ତିନି ଟଙ୍କା ହିସାବରେ ମାସକ ପାଇଁ ସେ ୧୫୦ ଟଙ୍କା ଦେବେ I କିନ୍ତୁ ମାସକୁ ଥରେ ରିଡିଂ ନ ନିଆଯାଇ ୩୮/୪୦ ଦିନରେ ରିଡିଂ ନିଆଯିବା ଫଳରେ ଉପଭୋକ୍ତା ସେହି ସମୟ ଭିତରେ ୫୧ ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ କରିଥାନ୍ତି ତେବେ ସେ ସେଥିପାଇଁ ୟୁନିଟ୍ ପିଛା ୪.୮୦ ଟଙ୍କା ହିସାବରେ ୨୪୪.୮୦ ଟଙ୍କା ଦେବାକୁ ବାଧ୍ୟ ହୁଅନ୍ତି I ଏହା କୌଣସି ଛୋଟ ଲୁଟ୍ ନୁହେଁ, ଉପଭୋକ୍ତା ଆଶ୍ଚର୍ଯ୍ୟଜନକ ଭାବେ ମାତ୍ର ଏକ ୟୁନିଟ୍ ପାଇଁ ୯୪ ଟଙ୍କା ୮୦ ପଇସା ବିଦ୍ୟୁତ୍ ବିଭାଗକୁ ପ୍ରଦାନ କରନ୍ତି, ଯାହା ଟାଟା କମ୍ପାନିର କୌଣସି ଡ଼କାୟତିଠାରୁ କମ୍ ନୁହେଁ ବୋଲି କିଛି ସଚେତନ ଉପଭୋକ୍ତା ପ୍ରକାଶ କରିଛନ୍ତି I ତେଣୁ ବିଭାଗ ପ୍ରତି ମାସରେ ରିଡିଂ ନେବାପାଇଁ ଉପଭୋକ୍ତା ଦାବି କରିଛନ୍ତି I ସେହିପରି ବିଭାଗର ଅଘୋଷିତ ବିଦ୍ୟୁତ୍ କାଟ୍ ବିଷୟରେ ତ ନକହିବା ଭଲ I ପୂର୍ବରୁ କେବଳ ଝଡ଼ ତୋଫାନ ହେଲେ ବିଦ୍ୟୁତ୍ କଟାଯାଉଥିବା ବେଳେ ବର୍ତ୍ତମାନ କୌଣସି ମୁହୂର୍ତ୍ତରେ ବି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ୍ ହେଉଛି, ଯାହା ଉପଭୋକ୍ତାଙ୍କର ଅସନ୍ତୋଷକୁ ବୃ୍ଦ୍ଧି କରୁଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ