ବିଦ୍ୟୁତ୍ ବୋର୍ଡର ଘରୋଇକରଣ ବନ୍ଦ ଦାବିରେ ଏଆଇଟିୟୁସିର ଦାବିପତ୍ର ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା): ଅଖିଳ ଭାରତ ଟ୍ରେଡ ୟୁନିୟନ (ଏଆଇଟିୟୁସି) ଗଞ୍ଜାମ ଜିଲ୍ଲା ଶାଖା ୧୫ଦଫା ଦାବି ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅମୀୟ କୁମାର ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । କର୍ପୋରେଟ୍ ସ୍ୱାର୍ଥରେ ଶ୍ରମିକ ବିରୋଧୀ ଶ୍ରମ ଆଇନ ପରିବର୍ତ୍ତନ ବନ୍ଦ କରିବା, କୃଷକ ବିରୋଧୀ କଳା କୃଷି ଆଇନ ପ୍ରତ୍ୟାହାର କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ବିଦ୍ୟୁତ୍ ବୋର୍ଡର ଘରୋଇକରଣ ବନ୍ଦ କରିବା ଏବଂ ଏଥିରେ କାର୍ଯ୍ୟରତ ସବୁ ବର୍ଗର ଶ୍ରମିକ-କର୍ମଚାରୀଙ୍କୁ ନିୟମିତ କରାଯାଉ , ସମସ୍ତ ଶ୍ରମିକ –କର୍ମଚାରୀଙ୍କର ମାସିକ ଭତ୍ତା ଟ୨୧, ୦୦୦ଏବଂ ସର୍ବ ନିମ୍ନ ଟ୧୦.୦୦୦ପ୍ରଦାନ କରିବା, ବେକାରମାନଙ୍କର କର୍ମନିଯୁକ୍ତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ସହ ଓଡିଶାର ସମସ୍ତ ରୁଗଣା ଓ ବନ୍ଦ ଥିବା କଳକାରଖାନକୁ ପୁନରୁଦ୍ଧାର କରାଯାଉ, ମନରେଗା ଢାଞ୍ଚାରେ ସହରାଞ୍ଚାଳ ପାଇଁ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ପ୍ରଣୟନ କରିବା, ଗୋପାଳପୁର ବନ୍ଦରରେ ତାଲିକା ଭୁକ୍ତ ସୁପରଭାଇଜର, ସ୍କେଲ ଓ ଟ୍ରାନ୍ସପୋର୍ଟ ଶ୍ରମିକମାନଙ୍କୁ ସବୁଦିନିଆ କାମ ଯୋଗାଇଦେବା, ଅଙ୍ଗନୱାଡି , ଆଶା, ପାଚିକା ସମେତ ସମସ୍ତ ସ୍କିମ୍ ୱାର୍କରମାନଙ୍କୁ ୱାର୍କରର ମାନ୍ୟତା ପ୍ରଦାନ ଓ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରିବା , ନିର୍ମାଣ ଶ୍ରମିକମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପଞ୍ଜିକରଣ ଓ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା, ଶ୍ରମ ବିଭାଗରେ ଖାଲି ପଡିଥିବା ସମସ୍ତ ପଦପଦବୀକୁ ତୁରନ୍ତ ପୂରଣ କରିବାସହ ଆବଶ୍ୟକତା ଅନୁଯାୟୀ ନୂଆ ନିଯୁକ୍ତି ସୃଷ୍ଟିକରିବା , ଆକାଶ ଛୁଆ ଦରଦାମ୍ କୁ ନିୟନ୍ତ୍ରଣ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ଓ ବନ୍ଦ ଥିବା ଖଣି ଗୁଡିକ ଖୋଲିବା ସହ ନିଲାମପରେ ଚାଲୁଥିବା ଖଣିରେ ଶ୍ରମିକମାନଙ୍କ ପୁନଃ ନିଯୁକ୍ତି ସୁନିଶ୍ଚିତ କରିବା ସମେତ ୧୫ଦଫା ଦାବୀ ସଂପର୍କରେ ଉକ୍ତ ଦାବି ପତ୍ରରେ ଦର୍ଶାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଏଆଇଟିୟୁସି ନେତା ତଥା ଗୋପାଳପୁର ପୋର୍ଟ ସୁପରଭାଇଜରସ୍ ଏବଂ ୱାର୍କରସ୍ ୟୁନିୟନର ଉପସଭାପତି ପ୍ରଦୀପ କୁମାର ସେଠୀ,ସଂପାଦକ ବି.ବୈରାଗୀ ରେଡ୍ଡୀ, କୋଷାଧ୍ୟକ୍ଷ ରାମେଶ୍ୱର ନାୟକ , ଯୁଗଳ କିଶୋର ଦାସ, ମାନସ ରଂଜନ ରାଉଳ ଓ ମାଗୁଣୀ ବିଷୋୟୀ ଏବଂ ଓଡିଶା ନିର୍ମାଣ ଶ୍ରମିକ ସଂଘ ନେତା କାଳୁଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।


