ବିଦ୍ୟୁତ ଆଘାତରେ ଛାତ୍ରଙ୍କ ୨ ହାତ କଟିବା ଘଟଣା କ୍ଷତିପୂରଣ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କ ସହ ବାକ ଯୁଦ୍ଧ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କରପଡା ଗ୍ରାମର ୧୦ ମ ଶ୍ରେଣୀ ଛାତ୍ର ରବି ବେହେରା ତାଙ୍କ ଘର ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ବାସଗୃହ କାନ୍ଥରେ ଚଢ଼ି ଗତ ସେପ୍ଟେମ୍ବର ୬ ତାରିଖ ଭୋର ରେ ଗଛରୁ ଫୁଲ ତୋଳୁଥିବା ବେଳେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଗୁରୁତର ଆହତ ହୋଇଥିଲେ।ପରବର୍ତ୍ତୀ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କ ୨ ହାତ କୁ କାଟି ଦିଆଯାଇଥିଲା। ଯାହାଫଳରେ ଛାତ୍ର ଜଣକ ଦିବ୍ୟାଙ୍ଗ ହୋଇଯାଇଥିଲେ।ତାଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଥିବା ଜଣାପଡିଛି । ଏପରି ଏକ ହୃଦୟ ବିଦାରକ ଘଟଣା ଘଟିବାର ୫ ମାସ ବିତିଯାଇଥିଲେ ମଧ୍ୟ ସରକାର କିମ୍ବା ବିଦ୍ୟୁତ ବିଭାଗ ପକ୍ଷରୁ କୈାଣସି ଆର୍ଥିକ ସହାୟତା ଯୋଗାଇ ଦିଆଯାଇନାହିଁ । ମଙ୍ଗଳବାର ବିଜେପି ର ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢୀଙ୍କ ନେତୃତ୍ୱରେ ପରିବାର ଲୋକେ ଦିଗପହଣ୍ଡି ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିର୍ବାହୀ ଯନ୍ତ୍ରୀ ଇଂ. ବିଶ୍ଵ ନାରାୟଣ ରାଉତଙ୍କ ସହ ଘଟଣା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏପରିକି ବିଦ୍ୟୁତ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବାରେ ବିଳମ୍ବକୁ ନେଇ ନିର୍ବାହୀ ଯନ୍ତ୍ରୀ ଏବଂ ଶ୍ରୀକାନ୍ତ ଙ୍କ ମଧ୍ୟରେ ବାକ ଯୁଦ୍ଧ ହେବାରୁ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ନିର୍ବାହୀ ଯନ୍ତ୍ରୀ ଏବଂ ଉପସ୍ଥିତ ପରିବାର ଲୋକଙ୍କ ଆପୋଷ ବୁଝାମଣା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଏନେଇ ନିର୍ବାହୀ ଯନ୍ତ୍ରୀ ଙ୍କୁ ପଚାରିବାରୁ ବ୍ରହ୍ମପୁର ବିଦ୍ୟୁତ ବିଭାଗ ଇଲେକ୍ଟ୍ରିକାଲ ଇନ୍ସପେକ୍ଟରଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ ସେ ବର୍ତ୍ତମାନ ସୁଦ୍ଧା ତଦନ୍ତ କରିବାକୁ ଆସିନାହାନ୍ତି ।ସେ ଘଟଣାର ଅନୁସନ୍ଧାନ କରି ବିଦ୍ୟୁତ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ପରେ ଘଟଣା ପାଇଁ ବିଦ୍ୟୁତ ବିଭାଗ ର ଅବହେଳା ପ୍ରମାଣିତ ହେଲେ ନିଶ୍ଚିତ ଭାବଭାବରେ ବିଦ୍ୟୁତ ଦୁର୍ଘଟଣାରେ ଆହାତ ଛାତ୍ରଙ୍କୁ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।