ବିଦ୍ୟୁତ ଆଘାତରେ ରାଜମିସ୍ତ୍ରୀ ଗୁରୁତର
ହିଂଜିଳିକାଟୁ, (ଶେଷଦେବ ସାହୁ): ହିଂଜିଳି ଥାନା ରାଳବ ଗ୍ରାମରେ ଶୁକ୍ରବାର ପୂର୍ବାହ୍ନରେ ଘଟିଛି ଏକ ଅଘଟଣ । ଘରର ଛାତ ଢଳେଇ କରୁଥିବା ବେଳେ ବିଦ୍ୟୁତ ସଂଷ୍ପଶରେ ଆସି ଜୈନିକ ରାଜମିସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣକ କୁକୁଡ଼ାଖଣ୍ଡି ବ୍ଳକ ତଥା ବ୍ରହ୍ମପୁର ସଦର ଥାନା ହୁଗୁଳାପଟ୍ଟା ଗ୍ରାମର ସିଲୁ ଗୌଡ଼ (୨୮) । ରାଜମିସ୍ତ୍ରୀ ଜଣକ ରାଳବ ଗ୍ରାମର ଏକ ଘରର ଛାତ ଢଳେଇ କରୁଥିବା ବେଳେ ହାତରେ ଧରିଥିବା ଗଜ ଟି ଅସାବଧାନବଶତଃ ଘରର ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରକୁ ଲାଗିଯାଇଥିଲା । ବିଦ୍ୟୁତ ସଂଷ୍ପଶରେ ଆସିବାରୁ ରାଜମିସ୍ତ୍ରୀଙ୍କ ବେକ, ହାତ ଓ ଛାତିର କିଛି ଅଂଶ ପୋଡ଼ିଯାଇଥିଲା । ଉପସ୍ଥିତ ଅନ୍ୟ ଶ୍ରମିକ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ୧୧ କେଭି ବିଦ୍ୟୁତ ତାର ଗୁଡ଼ିକ କମ୍ ଉଚ୍ଚତାରେ ବ୍ୟବହାର କରାଯାଇଥିବା ଯୋଗୁଁ ବହୁ ସମୟରେ ଏଭଳି ଛୋଟ ବଡ଼ ଦୂର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି । ପ୍ରକାଶ ଥାଉକି ଚଳିତ ମାସ ୨୦ ତାରିଖରେ ହିଂଜିଳି ଥାନା ଗଣ୍ଡଳା ଗ୍ରାମ ଧୋବା ସାହି ନିକଟରେ ୧୧ କେଭି ବିଦ୍ୟୁତ ତାର ସଂଷ୍ପଶରେ ଆସି ଜୈନିକ ଟ୍ରକ ଶ୍ରମିକ ପୁରୁଷୋତମପୁର ଥାନା ଗାଙ୍ଗଦହଣି ଗ୍ରାମର ନାରାୟଣ ବେହେରା ଗୁରୁତର ଆହତ ହୋଇଥିଲେ । ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ଏଭଳି ଅଘଟଣ ପ୍ରତି ସ୍ଥାନୀୟ ବିଦ୍ୟୁତ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି