ବିଦ୍ୟୁତ ଖୁଣ୍ଟରୁ ଖସି ସୌଭାଗ୍ୟ କର୍ମଚାରୀ ମୃତ
ନିରାକାରପୁର (ଆପ୍ର): ଶୁକ୍ରବାର ପୂର୍ବାହ୍ନ ୧୧ଟାବେଳେ ଟାଙ୍ଗୀ ବ୍ଲକ ଲେଣ୍ଡୁ ପଞ୍ଚାୟତ ଭଗବତୀପଡ଼ା ଗ୍ରାମରେ ବିଦ୍ୟୁତ ବିଭାଗ ହେଉ କିମ୍ବା ସୌଭାଗ୍ୟ ଯୋଜନାରେ କାର୍ଯ୍ୟରତ କର୍ମଚାରୀ ଅବହେଳା ଖାମଖିଆଲ ନୀତି ଯୋଗୁ ଜଣେ କର୍ମଚାରୀ ବିଦ୍ୟୁତ ଖୁଣ୍ଟରୁ ଖସିପଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଏଭଳି ଘଟଣା ଗତ ଗତମାସରେ ଲେଣ୍ଡୁ ପଞ୍ଚାୟତରେ ଘଟିଥିବାବେଳେ ଆଜି ପୁନର୍ବାର ଏପରି ଘଟଣାରେ ଆଉ ଜଣେ ମୃତ୍ୟୁକୁ ଲୋକେ ବିଭାଗ ଅପାରଗତା ବୋଲି କହିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ସୈାଭାଗ୍ୟ ଯୋଜନାରେ ଠିକାଦାରଙ୍କ ଅଧୀନରେ ଭଗବତୀପଡ଼ା ଗ୍ରାମରେ ନୂତନ ବିଦ୍ୟୁତ ସଂଯୋଗ କାର୍ଯ୍ୟ ଚାଲୁଥିଲା । ଆଜି ଭଗବତୀପଡ଼ାର ଏକ ସ୍ଥାନରେ ୧୬କେଭି ଟ୍ରାନସଫର୍ମର ଲାଗିବା ପାଇଁ ଠିକାଦାରଙ୍କ କର୍ମଚାରୀ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ୧୧ କେଭି ବିଦ୍ୟୁତ ସଂଯୋଗକୁ କାଟିବାକୁ କହିଥିଲେ । ବିଦ୍ୟୁତ କର୍ମଚାରୀ ଡମ୍ବୁରଧର ମହାପାତ୍ର ଓ ବିପିନ ବିହାରୀ ରାଉତ ହ୍ୟାଣ୍ଡଲ ପକାଇ ଚାବିଦେଇ ବିଦ୍ୟୁତ ବିଛିନ୍ନ କରିଥିଲେ । ପରେ ଠିକାଦାରଙ୍କ କର୍ମଚାରୀ ପ୍ରଥମେ ଡିସଚାର୍ଜ ରଡ଼ପକାଇ ବିଦ୍ୟୁତ ସଂଯୋଗ ଅଛି ନା ନାହିଁ ପରୀକ୍ଷା କରିବା କଥା । କିନ୍ତୁ କେଉଁ ପରିସ୍ଥିତିରେ ସେ ଖୁଣ୍ଟରେ ଚଢି ପ୍ରଥମେ ହାତରେ ଏକ ତାରକୁ ସ୍ପର୍ଶ କରି ଦେଖିଥିଲେ ବିଦ୍ୟୁତ ନାହିଁ ବୋଲି ତାଙ୍କର ଅନ୍ୟ କର୍ମଚାରୀଙ୍କଠାରୁ ଶୁଣିବାକୁ ମିଳିଥିଲା । ତେଣୁ ସେ ଉପରକୁ ଚଢିବା କ୍ଷଣି ବିଦ୍ୟୁତ ସଂସ୍ପର୍ଶରେ ଆସି ତଳକୁ ଖସି ପଡ଼ିଥିଲେ । ଫଳରେ ତାଙ୍କ ବେକର କିଛି ଅଂଶ ପୋଡ଼ି ଯାଇଥିଲା । ତାଙ୍କୁ ସରିକିଆ ଡାକ୍ତରଖାନା ପରେ ଖୋର୍ଦ୍ଧା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ମୃତକ କର୍ମଚାରୀ ଜଣକ ହେଲେ କେଉଁଝରର ଦିଲ୍ଲୀପ ମୁଣ୍ଡା(୨୮) । ଗ୍ରାମବାସୀ ବିଦ୍ୟୁତ ବିଭାଗର ଭୁଲ୍ ବୋଲି କହି କର୍ମଚାରୀଙ୍କୁ କିଛି ଘଣ୍ଟା ଅଟକ ରଖିଥିଲେ । ଏ ସମ୍ବନ୍ଧେରେ ଉକ୍ତ ଦୁଇ ସେସୁ କର୍ମଚାରୀ କହିଥିଲେ ଯେ ଆମେ ହ୍ୟାଣ୍ଡେଲ ପକାଇ ଚାବି ଦେଇ ବିଦ୍ୟୁତ କାଟିଥିଲୁ । ମାତ୍ର କିପରି ବିଦ୍ୟୁତ ସଂଯୋଗ ହେଲା ସେନେଇ ଆମେ ବି ଆଶ୍ଚର୍ଯ୍ୟ । ଏ ସମ୍ପର୍କରେ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ ବି ସେ ଫୋନ ଉଠାଇ ନଥିଲେ । ସେ ବି ବହୁ ସମୟରେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି । ପରେ ଜଙ୍କିଆ ଉପଖଣ୍ଡ ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ କି କର୍ମଚାରୀଙ୍କ ଶବ ଖୋର୍ଦ୍ଧା ଡାକ୍ତରଖାନାରେ ରହିଛି । ଆମର ଠିକାଦାରଙ୍କସହ ଆଲୋଚନା ହୋଇଛି । ମୃତ କର୍ମଚାରୀଙ୍କ ପରିବାର ଲୋକେ ବୀମା କ୍ଷତିପୂରଣ ପାଇବେ । କିନ୍ତୁ ପ୍ରକୃତ ପକ୍ଷେ ଏହିପରି ଘଟଣା କେଉଁ ପରିସ୍ଥିତରେ ହେଲା ତାହାର ତଦନ୍ତ ପାଇଁ ବିଦ୍ୟୁତ ବିଭାଗ ପଦକ୍ଷେପ ନେବ ବୋଲି ଉପଖଣ୍ଡ ଅଧିକାରୀ ଜଣାଇଛନ୍ତି ।