ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଆଡପଡା ପଞ୍ଚାୟତର ମୋହିଗୁଡାରୁ କଇଠବେଢା କେନାଲ ରାସ୍ତାରେ କାମ ପାଇଁ ବେଆଇନ ଭାବେ ଝୁଲା ହୋଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବୃଦ୍ଧଙ୍କ ବୁଧବାର ସକାଳେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ହିଞ୍ଜିଳି ଥାନା ସାନଖେମୁଣ୍ଡି ବ୍ଳକ କଇଠବେଢା ଗ୍ରାମର ହରିହର ମଲ୍ଲ (୭୫) ବୋଲି ସୂଚନା ମିଳିଛି । ଘଟଣାପରେ ମୃତକଙ୍କ ପୁଅ ରମେଶ ମଲ୍ଲ ଠିକାଦାରଙ୍କ ଖାମଖିଆଲି କାମ ଯୋଗୁଁ ବାପାଙ୍କ ଜୀବନ ଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଖବରପ୍ରକାରେ , ରମେଶଙ୍କ ବାପା ମଙ୍ଗଳବାର ଦିନ ମୋହିଗୁଡାରେ ରହୁଥିବା ଝିଅ ଘରକୁ ଯାଇଥିଲେ ।ବୁଧୁବାର ସକାଳୁ ସେ ମୋହିଗୁଡାରୁ କଇଠବେଢାକୁ କେନାଲ ରାସ୍ତାରେ ଚାଲି ଚାଲି ଆସୁଥିଲେ । ତେବେ ପୂର୍ବରୁ ଏଠାରେ (ଇରିକେଶନ) ଜଳସେଚନ ବିଭାଗର କେନାଲ କାମ ଚାଲିଥିଲା । ତେବେ ଠିକାଦାର ଜଣକ କଂକ୍ରିଟ ଖାଡି କାଟିବା ପାଇଁ ବିଦ୍ୟୁତ ଖୁଣ୍ଟରୁ ବେଆଇନ ଭାବେ ତାର ଆଣିଥିବା ବେଳେ ତାହା ଗଛ ଡାଳରେ ଘୋଡାଇ ହୋଇ ରହିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ଦିଆଯାଇଛି । ଯାହାଫଳରେ ବୃଦ୍ଧ ଜଣକ ଏହି ତାର ସଂସ୍ପର୍ଶରେ ଆସିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାପରେ ମୃତକଙ୍କ ପୁଅ ରମେଶ ଏନେଇ ହିଞ୍ଜିଳି ଥାନାରେ ନିର୍ମାଣ କାର୍ଯ୍ୟର ଦାୟିତ୍ଵ ନେଇଥିବା ଠିକାଦାର ତଥା ଖଲିଙ୍ଗୀ ଗ୍ରାମର ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ରାଉତଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବା ସହ ଏତଲା ମଧ୍ୟ ଦେଇଥିଲେ। ଏପଟେ ଉକ୍ତ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ ପରେ ସେ କହିଛନ୍ତି ଯେ , ଠିକାଦାର ଜଣକ ଏହି ବିଷୟରେ ଆମକୁ ଅବଗତ କରାଇ ନଥିବା ଜଣାଇଛନ୍ତି । ଅନ୍ୟପକ୍ଷରେ ଏତଲାକୁ ଭିତ୍ତିକରି ହିଞ୍ଜିଳି ଥାନା କେସ୍ ନଂ ୪୫୨/୨୩ ପ୍ରକାରେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ