ବିଦ୍ୟୁତ ବିଭାଗର ବିଚିତ୍ର ନୀତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଗତକାଲି ଦିନ ତମାମ ବିଦ୍ୟୁତ କାଟ ହୋଇଥିଲା । ସକାଳ ୮ରୁ ସନ୍ଧ୍ୟା ୬ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ ହେବ ବୋଲି ଘୋଷଣା କରାଯାଇଥିଲେ ମଧ୍ୟ ରାତ୍ର ୮ଘଣ୍ଟା ପରେ ମଧ୍ୟ ବିଦ୍ୟୁତ ସରବରାହ ହୋଇପାରି ନ ଥିଲା । ଏ ନେଇ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଥିବା ସହ ସାଧାରଣରେ ପ୍ରଶ୍ନ ଉଠିଛି ବିଦ୍ୟୁତ୍ ବିଭାଗ ଘୋଷଣା ଅନୁଯାୟୀ ବିଦ୍ୟୁତ କାଟ କରୁଛନ୍ତି । ହେଲେ ଘୋଷଣା ଅନୁଯାୟୀ କାଟିବା ସମୟର ୫/୧୦ମିନିଟ ପୁର୍ବରୁ ବିଦ୍ୟୁତ କାଟ ହେଉଥିବା ବେଳେ ଘୋଷଣା ଅନୁଯାୟୀ କାହିଁକି ବିଦ୍ୟୁତ ସରବରାହ ଦିଆଯାଉ ନାହିଁ । ଘୋଷଣାର ୨ଘଣ୍ଟା ପରେ ବିଦ୍ୟୁତ ସରବରାହ କରିବା ଦ୍ୱାରା ଅନ୍ଧାର ରାତ୍ରରେ ଲୋକେ ବହୁ ଅସୁବିଧାର ସମ୍ମୁଖାନ ହେଉଥିବା ସହ ଅନ୍ଧାରରେ ଛୋଟ ବଡ ଦୁର୍ଘଟଣା ଘଟିବା ସହ ଚୋରୀ ଡକାୟତୀ ବୃଦ୍ଧି ପାଇବା ଆସଙ୍କା ରହିଛି । ଏଭଳି ଭାବେ ପ୍ରତି ମାସକେ ୨ରୁ୪ଦିନ ଏପରି ବିଦ୍ୟୁତ କାଟିବାର କାରଣ କଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହା ଛଡା ଦୈନନ୍ଦିନ ଅଘୋଷିତ ବିଦ୍ୟୁତ କାଟ କରାଯାଉଛି ତାହା ଜଣାପଡୁନାହିଁ । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ହୋଇଥିବା ଯୋଗୁଁ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟରେ ପାରଳାଖେମୁଣ୍ଡି ସହରକୁ ଦୂରଦୂରାନ୍ତରୁ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ମୁଖ୍ୟ ସହର ପାରଳାଖେମୁଣ୍ଡି ବ୍ୟତୀତ ନିକଟସ୍ଥ ଗ୍ରାମାଞ୍ଚଳ ଗୁଡିକରେ ମଧ୍ୟ ଏପରି ଅଘୋଷିତ ବିଦ୍ୟୁତ କାଟ ଲୋକମାନଙ୍କୁ ବହୁ ସମସ୍ୟାରେ ପକାଇ ଦେଉଛି । ମେଘାଛନ୍ନ କିମ୍ବା ଅଳ୍ପ ପବନ ବୋହିଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି । ଏହାସହ ରକ୍ଷଣାବେକ୍ଷଣ ନାମରେ ବହୁ ସମୟ ବିଦ୍ୟୁତ କାଟିବା ଆଦି ଜାରି ରହିଛି । ସେପଟେ ଟାଟା କମ୍ପାନୀ ଏହି ବିଦ୍ୟୁତ ସରବରାହ ପାଇଁ ଦାୟୀତ୍ୱ ନେବା ଠାରୁ ଏହି ମନମୁଖୀ କାରବାର ଆହୁରି ବଢିଯାଇଛି ବୋଲି ଚର୍ଚ୍ଚା ଯୋର ଧରିଛି । ଏହି କମ୍ପାନୀ ବିଦ୍ୟୁତ ବିଲ୍ ଦରବୃଦ୍ଧି କରିବା ସଙ୍ଗେ ସଙ୍ଗେ ସେଭଳି ବିଦ୍ୟୁତ ସେବା ଯୋଗାଇ ଦେଇପାରୁନି ବୋଲି ମଧ୍ୟ ଆଲୋଚନା ହେଉଛି । ଏନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଫୋନ୍ ଯୋଗାଯୋଗ କଲେ ଫୋନ୍ ଉଠାଉନାହାନ୍ତି । ଏପରି ବିଦ୍ୟୁତ ସେବାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ