ବିଦ୍ୟୁତ ବିଭ୍ରାଟକୁ ନେଇ ଟିପିଏନଓଡିଏଲ କାର୍ଯ୍ୟାଳୟ ଘେରିଲା କଂଗ୍ରେସ
ବାଲେଶ୍ୱର, (ସରୋଜ ପଣ୍ଡା):ଅଘୋଷିତ ବିଦ୍ୟୁତ କାଟ ଓ ବିଜୁଳି ଟିକସ ବୃଦ୍ଧିର ପ୍ରତିବାଦରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଟିପିଏନଓଡିଏଲ କର୍ପୋରେଟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଜିଲା କଂଗ୍ରେସ କମିଟି ସଭାପତି ସଂଜୀବ ଗିରିଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ପିସିସି ସାଧାରଣ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର ଯୋଗଦେଇ ବିଦ୍ୟୁତ ବିତରଣ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବିଭ୍ରାଟ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ । ଓଡ଼ିଶା ଏକ ବଳକା ବିଦ୍ୟୁତ ରାଜ୍ୟ ହେବା ସତ୍ତ୍ୱେ ୨୪ଘଣ୍ଟିଆ ବିଜୁଳି ଯୋଗାଣରେ ବିତରକ କମ୍ପାନୀମାନେ ବିଫଳ ହୋଇଛି । ୟୁନିଟ ପିଛା ବିଦ୍ୟୁତ ଦର ଅନ୍ୟ ରାଜ୍ୟ ତୁଳନାରେ ବହୁଗୁଣା ଅଧିକ ହୋଇଥିବା ବେଳେ ଓଡ଼ିଶାରୁ ବିଦ୍ୟୁତ କ୍ରୟ କରୁଥିବା ରାଜ୍ୟମାନଙ୍କରେ ବିଦ୍ୟୁତ ଦେୟ କମ ରହୁଥିବା ଶ୍ରୀ ମହାପାତ୍ର କହିଥିଲେ । ସବୁ ଜାଣିଶୁଣି ରାଜ୍ୟ ସରକାର ଟାଟା ପାୱାର ଭଳି କମ୍ପାନୀକୁ ଡାକି ଆଣି ଜନସାଧାରଣଙ୍କୁ ଠକି ଚାଲିଛନ୍ତି ବୋଲି ସେ ଆରୋପ ସେ ଉଠାଇଥିଲେ । ସେହିଭଳି ବିଦ୍ୟୁତ ଭିତ୍ତଭୂମି ନବୀକରଣ ନାମରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଆତ୍ମସାତ କରିଛନ୍ତି ବୋଲି କଂଗ୍ରେସ ଜିଲା ସଭାପତି ଶ୍ରୀ ଗିରି ଅଭିଯୋଗ ଉଠାଇଥିଲେ । ଅଘୋଷିତ ବିଦ୍ୟୁତ କାଟ ତୁରନ୍ତ ବନ୍ଦ ସହ ଗ୍ରାହକଙ୍କୁ ଅନବରତ ବିଦ୍ୟୁତ ଯୋଗାଣ, ଅହେତୁକ ବିଦ୍ୟୁତ ଟିକସ ହ୍ରାସ, ପ୍ରତିମାସ ନିର୍ଦ୍ଦିଷ୍ଟ ତାରିଖରେ ବିଲ ଆଦାୟ, ବକେୟା ବିଦ୍ୟୁତ ଦେୟ ଆଦାୟ ବେଳେ ଗ୍ରାହକଙ୍କ ଉପରେ ଜୁଲମ ବନ୍ଦ ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ନତୁବା ଆଗାମୀ ଦିନରେ ସାମ୍ଭାବ୍ୟ ପରିସ୍ଥିତି ପାଇଁ ଟିପିଏନଓଡିଏଲ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସେମାନେ ଚେତାବନୀ ଦେଇଥିଲେ । ଏହା ସହିତ ବିଦ୍ୟୁତ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରାଯାଇଥିବା ୧୫ ହଜାର କୋଟି ଟଙ୍କା ଶ୍ୱେତପତ୍ର ସରକାର ତୁରନ୍ତ ପ୍ରକାଶ କରିବାକୁ କଂଗ୍ରେସ ନେତାମାନେ ବାଦି କରିଥିଲେ । ଜନସାଧାରଣ ସ୍ୱାଭାବିକ ବିଦ୍ୟୁତ ସେବା ନ ପାଇବା ପର୍ଯ୍ୟନ୍ତ ବିଦ୍ୟୁତ ବିଲ ନ ଦେବାକୁ କଂଗ୍ରେସ ନେତାମାନେ ଆହ୍ୱାନ ଦେଇଥିଲେ । ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ଅକ୍ଷୟ କୁମାର ଆଚାର୍ଯ୍ୟ, ରାଜ୍ୟ ସାଧାରଣ ସମ୍ପାଦକ ଅର୍ଚ୍ଚନା ନନ୍ଦୀ, ଉପସଭାପତି ଗୋପୀନାଥ ପାଢ଼ୀ, ଜିଲ୍ଲା ମହିଳା କଂଗ୍ରେସ ଅଧ୍ୟକ୍ଷା ପ୍ରଜ୍ଞା ପାରମିତା ମହାନ୍ତି, ତରୁଣ ଦାସ, ବିକାଶ ଦାସ, ଯୁବ କଂଗ୍ରେସ ସଭାପତି ରଞ୍ଜନ କୁମାର ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, କହ୍ନେଇ ଚରଣ ବେହେରା, କହ୍ନେଇ ଚରଣ ପ୍ରଧାନ, ଉପେନ୍ଦ୍ର ବେହେରା, ସୁଧାଂଶୁ ଜେନା, ପ୍ରତିମା ପଣ୍ଡା, ରାଜୀବ ପରିଡ଼ା, ସଦର ବ୍ଲକ୍ ସଭାପତି ଜୟକୃଷ୍ଣ ବେହେରା, ନିରଞ୍ଜନ ବେହେରା, ଅରୁଣ ଜେନା, ସଂଖ୍ୟାଲଘୁ ସେଲ୍ ସଭାପତି ଅସଗର୍ ଅଲ୍ଲୀ, ଅଚ୍ୟୁତ ନନ୍ଦ, ମନୋରଞ୍ଜନ ପଣ୍ଡା ପ୍ରମୁଖ ଏହି ଗଣ ବିକ୍ଷୋଭରେ ଯୋଗ ଦେଇଥିଲେ ।