ବିଦ୍ୟୁତ ଯନ୍ତ୍ରୀ ସଂଘର ସପ୍ତମ ବାର୍ଷିକ ଅଧିବେଶନ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା ରାଜ୍ୟ ବିଦ୍ୟୁତ ନିଗମ ଯନ୍ତ୍ରୀ ସଂଘ, ଟାଟା ପାୱାର ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏନଓଡିଏଲ) ଶାଖାର ସପ୍ତମ ବାର୍ଷିକ ଅଧିବେଶନ ଓ ସାଧାରଣ ପରିଷଦ ବୈଠକ ସ୍ଥାନୀୟ ଏଲଏନ ପ୍ଲାଜା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସଂଘର ରାଜ୍ୟ ସାଧାରଣ ସମ୍ପାଦକ ତ୍ରିଲୋଚନ ପ୍ରଧାନ ଏଥିରେ ସଭାପତିତ୍ୱ କରିବା ସହିତ ବିଦ୍ୟୁତ ଯୋଗାଣ ଭଳି ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଯନ୍ତ୍ରୀମାନେ ସାମନା କରୁଥିବା ବିଭିନ୍ନ ସମସ୍ୟା ଓ ତାହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଦିନକୁ ଦିନ ବଢ଼ି ଚାଲିଥିବା ଗ୍ରାହକ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଯନ୍ତ୍ରୀଙ୍କ କାର୍ଯ୍ୟକ୍ଷେତ୍ର ପରିସରକୁ ପୁନର୍ଗଠନ ପାଇଁ ସେ ପ୍ରସ୍ତାବ ଦେଇଥିଲେ । ଅନ୍ୟପକ୍ଷରେ ବାର୍ଦ୍ଧକ୍ୟକାଳୀନ ପେନସନ ଯୋଜନାରେ ସାମିଲ ହୋଇଥିବା ଯନ୍ତ୍ରୀମାନଙ୍କୁ ଜାତୀୟ ପେନସନ ଯୋଜନାରେ ସାମିଲ ପାଇଁ ଶ୍ରୀ ପ୍ରଧାନ ସଂଘ ପକ୍ଷରୁ ଦାବି ଜଣାଇଥିଲେ । ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାସ୍କର ସରକାର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଯନ୍ତ୍ରୀମାନଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବେ ବୋଲି କହିଥିଲେ । ସମସ୍ତଙ୍କ ସହଯୋଗରେ ଉତ୍ତମ ସେବା ଓ ଗ୍ରାହକ ସନ୍ତୁଷ୍ଟି ପାଇଁ ଟାଟା ପାୱାର ସବୁଠି ବିଶ୍ୱାସଭାଜନ ହୋଇପାରିଛି ବୋଲି ସେ ସୂଚନା ଦେଇଥିଲେ । ଏହି ଧାରା ସର୍ବଦା ବଜାୟ ରଖିବାକୁ ସେ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଟିପିଏନଓଡିଏଲର ବ୍ୟବସାୟିକ ମୁଖ୍ୟ ଦୁଷ୍ୟନ୍ତ ତ୍ୟାଗୀ, ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀବଲ୍ଲଭ ସିଂହ, ଚିଫ ଅଫ ଅପରେସନ ନୀଲେଶ ଚନ୍ଦ୍ରକାନ୍ତ ଫଟଫୋଡେ, ସିନିଅର ଜିଏମ ଶରତ ଚନ୍ଦ୍ର ମହାଳିକ ପ୍ରମୁଖ ଏଥିରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂଘର ସହ ସାଧାରଣ ସମ୍ପାଦକ ନଟବର ବେହେରା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଟିପିଏନଓଡିଏଲ ଶାଖା ସାଧାରଣ ସମ୍ପାଦକ ଆଶୁତୋଷ ପଣ୍ଡା ଏଥିରେ ବିବରଣୀ ଉପସ୍ଥାପନ କରିଥିଲେ । ସଂଘର ବରିଷ୍ଠ ସଦସ୍ୟ ସିଦ୍ଧାର୍ଥ ପଟ୍ଟନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ