ବିଦ୍ୟୁତ ସଂସ୍ପର୍ଶରେ ଯୁବକ ମୃତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଅନ୍ତର୍ଗତ ଶଙ୍କରଖାଳି ଗ୍ରାମରେ ରବିବାର ବିଦ୍ୟୁତ ସଂସ୍ପର୍ଶରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ମୃତ ଯୁବକ ଜଣକ ହେଲେ ଗ୍ରାମର କାଳିଆ ଗୌଡ (୨୭)।କାଳିଆଙ୍କ ଘରର ସିଡି ରାସ୍ତାକୁ ଲାଗି ଏକ ଲୁହା ଟିଣ ଚଦର ପଡିଥିବା ବେଳେ ସର୍ଭିସ ତାର କଟି ସେଥିରେ ବିଦ୍ୟୁତ ପ୍ରବାହିତ ହେଉଥିଲା।କାଳିଆ ଏହା ଜାଣିନପାରି ସେହି ଟିଣ ସଂସ୍ପର୍ଶରେ ଆସିବା ମାତ୍ରେ ସେଥିରେ ଲାଗି ଯାଇଥିଲେ।ଉପସ୍ଥିତ ଲୋକେ ବିଦ୍ୟୁତ ବିଚ୍ଛିନ୍ନ କରି କାଳିଆଙ୍କୁ ଉଦ୍ଧାର କରିଥିଲେ।ଅବସ୍ଥା ଗୁରୁତର ରହିଥିବାରୁ ଘରୋଇ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା।ତେବେ ଉପସ୍ଥିତ ଡାକ୍ତର କାଳିଆଙ୍କୁ ମୃତ ଘୋଷଣା କରିଥିଲେ।ପରେ ବୈଦ୍ୟନାଥ ପୁର ଥାନା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ କରାଇଥିଲେ।ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ଶୋକାକୁଳ ପରିବେଶ ଗ୍ରାମ ଶ୍ମଶାନରେ ତାଙ୍କ ଅନ୍ତିମ ସତ୍କାର କରାଯାଇଥିଲା।କାଳିଆଙ୍କ ଦୁଃଖଦ ମୃତ୍ଯୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।


