ବିଦ୍ୟୁତ ସେବାରେ ସୁଧାର ନଆସିଲେ ଆନ୍ଦୋଳନକୁ ଓହ୍ଲାଇବ ଭଞ୍ଜସେନା
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ):ଟାଟା ପାୱାରର ବେପରୁଆ ବିଜୁଳି ସେବା, ସ୍ମାର୍ଟ୍ ମିଟର, ଅହେତୁକ ବିଜୁଳି ବିଲ, ଲୋ ଭୋଲ୍ଟେଜ, ୩୦୦ୟୁନିଟ ମାଗଣା ବିଜୁଳି ଭଳି ପ୍ରସଙ୍ଗକୁ ନେଇ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ ଆଜି ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ଜରିଆରେ ଏକ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି. ଏଥି ସହିତ ଟାଟା ପାୱାର ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ରର ନକଲ ପ୍ରଦାନ କରାଯାଇଛି. ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ସ୍ମାର୍ଟ ମିଟର ବସାଇବା ବାହାନାରେ ଗ୍ରାହକଙ୍କୁ ଶୋଷଣ ବନ୍ଦ କରାଯିବା, ପ୍ରି -ପେଡ ସ୍ମାର୍ଟ ମିଟର ଲଗାଇବା ସଂମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବାକୁ ଦାବୀ କରାଯାଇଛି. ସେହିପରି ପ୍ରସ୍ତାବିତ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରସ୍ତାବକୁ ବାତିଲ କରାଯିବା, ଗ୍ରୀଷ୍ମ ରୁତୁ ପୂର୍ବରୁ ଲୋ ଭଲଟେଜ ଓ ଅଘୋଷିତ ବିଦ୍ୟୁତ କାଟ ସମସ୍ୟାର ସ୍ଥାୟୀ ସମାଧାନ କରାଯିବା, ପୂର୍ବ ପ୍ରତିଶୃତି ଅନୁସାରେ ସମସ୍ତ ଘରୋଇ ଉପଭୋକ୍ତା ମାନଙ୍କୁ ମାସିକ 300 ୟୁନିଟ ଦେୟମୁକ୍ତ ବିଦ୍ୟୁତ ଯୋଗାଇ ଦେବା, ଟାଟା ପାୱାର ରେ ଠିକା ସଂସ୍ଥା ମାଧ୍ୟମରେ ଆମ ଜିଲ୍ଲାରେ ନିୟୋଜିତ ଥିବା ସମସ୍ତ ବିଦ୍ୟୁତ କର୍ମଚାରୀଙ୍କୁ ତୁରନ୍ତ ଟାଟା ପାୱାର କମ୍ପାନୀର ପେ -ରୋଲରେ ସାମିଲ କରି ଚାକିରୀର ସୁନିଶ୍ଚିତତାକୁ ନେଇ ପଦକ୍ଷେପ ଗ୍ରହଣ କରାଯିବା ଇତ୍ୟାଦି ଦାବୀ କରାଯାଇଛି.
ଏହି କାର୍ଯ୍ୟକ୍ରମ ରେ ଭଞ୍ଜସେନା ଅଧକ୍ଷ୍ୟ ସଂଜୀବ ରାଉତ, ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା ଆବାହକ ରାକେଶ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ପୃଷ୍ଟି, ବାରିପଦା ସହର ସଭାପତି ରାକେଶ ମହାନ୍ତି, ଜିଲ୍ଲା ଯୁବ ଶାଖା ସଭାପତି ଏସ. କେ.ରାଜାଖାନ, ଜିଲ୍ଲା ଉପସଭାପତି ସାଫଲ୍ୟ ମିଶ୍ର, ମୁଖପାତ୍ର ମାନସ ବେହେରା, ଜିଲ୍ଲା ସଂଗଠନ ସମ୍ପାଦକ ଗଣେଶ ମହାନ୍ତି, ଜିଲ୍ଲା ସମ୍ପାଦକ ଗୌରାଙ୍ଗ ଘଡେଇ, ପ୍ରଶାନ୍ତ ଦାସ, ବାରିପଦା ସହର ଉପସଭାପତି କିଶୋର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ. ଆଗାମୀ ୨୧ ଦିନ ମଧ୍ୟରେ ସମସ୍ୟାର ସମାଧାନ ନହେଲେ ଭଞ୍ଜସେନା ଜିଲ୍ଲାବାସୀ ଙ୍କ ଏହି ନ୍ୟାର୍ଯ୍ୟ ଦାବି ଗୁଡ଼ିକୁ ନେଇ ସମଗ୍ର ଜିଲ୍ଲାରେ ଆନ୍ଦୋଳନ ଆରମ୍ଭ କରିବ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି.