ବିଧବା ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟିଲେ ଦୁର୍ବୃତ୍ତ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ଦୋରାତ୍ମ୍ଯ ବୃଦ୍ଧି ପାଇବାରେ ଲାଗିଛି । ଦୁର୍ବୃତ୍ତ ମାନେ ବିଭିନ୍ନ ଆଳରେ କେତେବେଳେ ବ୍ୟାଙ୍କ ସାମନାରୁ ଜମାକାରୀ ଙ୍କୁ ସାହାଯ୍ୟ କରିବା ବାହାନାରେ କେତେବେଳେ ରାଜରାସ୍ତାରେ ଲୋକଙ୍କୁ ଧକ୍କା ମାରି ସୁନା ଓ ଟଙ୍କା ଛଡ଼ାଇ ନେଉଛନ୍ତି । ବୁଧବାର ଏଭଳି ଏକ ଘଟଣା ସାମ୍ନା କୁ ଆସିଛି। କିଛି ଅଜଣା ଦୁର୍ବୃତ୍ତ ମଙ୍ଗଳବାର ଅଭିନବ ଢ଼ଙ୍ଗରେ ଜଣେ ଗରିବ ଅସହାୟ ବିଧବା ମହିଳାଙ୍କ ସୁନାହାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ପୂର୍ବାହ୍ନ ରେ ଲୁଟେରାଙ୍କ ଶିକାର ପାଲଟିଛନ୍ତି ଦିଗପହଣ୍ଡି ଥାନା ଫାସିଗୁଡା ଗ୍ରାମ ଢେପସାହିର ବିଧବା ମହିଳା ଇନ୍ଦିରା ଦାସ । ମହିଳାଙ୍କ କହିବାପ୍ରକାରେ , ସେ ତାଙ୍କ ପୁଅ ଓ ଝିଅକୁ ଧରି ମଙ୍ଗଳବାର ସକାଳ ୯ ଟା ସମୟରେ ସାନଖେମୁଣ୍ଡି ବ୍ଲକ ତପ୍ତପାଣି ଉଷ୍ଣପ୍ରସ୍ରବଣ ବୁଲିବାକୁ ଯାଇଥିଲେ । ସେଠାରେ ଦର୍ଶନ ସାରି ଦୁଇ ସନ୍ତାନକୁ ଧରି ଗ୍ରାମକୁ ଫେରିବା ପାଇଁ ବସକୁ ଅପେକ୍ଷା କରିଥିଲେ । ତେବେ ପୂର୍ବରୁ ଲକ୍ଷ୍ଯ ରଖିଥିବା ଦୁଇ ଲୁଟେରା ମହିଳାଙ୍କ ପାଖକୁ ଆସି ଆମେ ସରକାରୀ କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ଏହାପରେ ଲୁଟେରା ମାନେ ମହିଳାଜଣକୁ ପଚାରି ବୁଝିଥିଲେ କି ତୁମେ ସରକାର ପକ୍ଷରୁ ଘୋଷିତ ହୋଇଥିବା ବିଭିନ୍ନ ସହାୟତା ପାଉଛ କି ନାହିଁ ପଚାରିଥିଲେ । ମହିଳାଙ୍କ ମନରେ ବିଶ୍ବାସ ଜନ୍ମାଇ ସରକାରୀ ସହାୟତା କଟାଇଦେବୁ କହି ତପ୍ତପାଣି କନ୍ଧୁଣି ଦେବୀ ମନ୍ଦିର ନିକଟରେ ରଖିଥିବା କାରରେ ମହିଳା ଙ୍କ ସମେତ ଦୁଇ ସନ୍ତାନକୁ ବସାଇଥିଲେ । ତେବେ କାରରେ ବସାଇବା ପୂର୍ବରୁ ମହିଳାଙ୍କୁ ସହାୟତା ବାହାନରେ ୫ ଶହ ଟଙ୍କା ମଧ୍ୟ ଦେଇଥିଲେ । ଏହା ପରେ ମହିଳା ଜଣକ କିଛି ଜାଣିପାରୁନଥିବା ପ୍ରକାଶ କରିଛନ୍ତି ଲୁଟେରା ମାନେ ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ସମୟରେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗାଡିରଖି ମହିଳା ଓ ଦୁଇ ସନ୍ତାନକୁ ଗାଡିରୁ ଓହ୍ଲାଇ ତହସିଲ କାର୍ଯ୍ୟାଳୟ ପରିସରକୁ ଆଣି ବସିବା ପାଇଁ କହିଥିଲେ । ଏହାପରେ ଦିନ ଦ୍ବିପହରରେ ବ୍ଳକ ଓ ତହସିଲ ପରିସରରେ ଲୋକମାନେ ଯାତା ଯାତାୟତ କରୁଥିଲେ ମଧ୍ୟ ଲୁଟେରା ମାନେ କୈାଶଳକ୍ରମେ ମହିଳାଙ୍କ ବେକରୁ ସାଢେ ଦୁଇ ଭରି ଓଜନର ସୁନାହାରକୁ କାଢି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡିଛି । ଶେଷରେ ମହିଳାଜଣକ ଯେତେବେଳେ ନିଜ ନିୟନ୍ତ୍ରଣକୁ ଫେରିଥିଲେ ଦେଖିବାକୁ ପାଇଥିଲେ ଯେ ଲୁଟେରା ମାନେ ତାଙ୍କ ବେକରୁ ସୁନାହାର ଟି ଲୁଟି ନେଇଛନ୍ତି । ଏହାପରେ ମହିଳା ଜଣକ ତହସିଲ ସମ୍ମୁଖରେ ନିଜ ସନ୍ତାନମାନଙ୍କୁ ଧରି କାନ୍ଦୁଥିବା ଦେଖି ଘଟଣା ସମ୍ପର୍କରେ ବିଭିନ୍ନ ବ୍ୟକ୍ତି ପଚାରି ବୁଝିଥିଲେ । ବୁଧବାର ଲୁଟ୍ ର ଶୀକାର ହୋଇଥିବା ମହିଳା ଜଣକ ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା ଜଣାପଡିଛି। ଏତଲାକୁ ଭିତ୍ତିକରି ତଦନ୍ତ ଚାଲିଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି।