ବିଧାନସଭାରେ ଉଠିଲା ଚିଟଫଣ୍ଡ ତଦନ୍ତ କମିଶନ ବନ୍ଦ ପ୍ରସଙ୍ଗ
ଭୁବନେଶ୍ୱର: ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ଅର୍ଥାତ ଗୁରୁବାର ଚିଟଫଣ୍ଡ ତଦନ୍ତ କମିଶନ ବନ୍ଦ ପ୍ରସଙ୍ଗ ଉଠିଛି । ଚିଟଫଣ୍ଡ ତଦନ୍ତ କମିଶନ ବନ୍ଦ ହେବା ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ୭ ଲକ୍ଷ ସତ୍ୟପାଠ ପଡ଼ିଛି । ଠକେଇର ଶିକାର ଜମାକାରୀ ଆତ୍ମହତ୍ୟା କରିଛନ୍ତି । କେନ୍ଦ୍ର ସରକାରଙ୍କ ସହ ସମ୍ପର୍କ ସୁଧୁରିବା ପରେ ତଦନ୍ତ ବନ୍ଦ ହୋଇଗଲା । ସରକାର ୩୦୦ କୋଟିର କର୍ପସ ଫଣ୍ଡ ଗଠନ କରିଥିଲେ । ଉକ୍ତ ଟଙ୍କା କୁଆଡେ଼ ଗଲା ବୋଲି ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରିଛନ୍ତି ।
ଏଥିସହ ସେ କହିଛନ୍ତି ଯେ, ଠକ ସଂସ୍ଥାରୁ ନେତା ମନ୍ତ୍ରୀ ଗାଡ଼ି ନେଇଥିଲେ । ଜଙ୍ଗଲରୁ ପଜେରୋ ମିଳିଥିଲା । ନିର୍ବାଚନ ପୂର୍ବରୁ ସିବିଆଇ ୨ ବିଧାୟକଙ୍କୁ ଜେରା କରିଥିଲା । ତଦନ୍ତ କ’ଣ ହେଲା ବୋଲି ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରିଛନ୍ତି । ତେବେ ସରକାର ଠକ ସଂସ୍ଥାଙ୍କ ସମ୍ପତ୍ତି ବିକି ଟଙ୍କା ଫେରାଇବାକୁ ସାଲୁଜା ଦାବି କରିବା ସହ ଏନେଇ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଚିଟଫଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ଜଣିକିଆ କମିସନ ଗଠନ କରାଯାଇଥିଲା । କମିସନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ବା ୬ ମାସ ବୃଦ୍ଧି କରାଯାଇଥିଲା । ଶେଷଥର ୨୦୧୯, ଅଗଷ୍ୟ ୪ରେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ପୂରିବାକୁ ଯାଉଥିବା ବେଳେ ଅଗଷ୍ଟ ୨ରେ ସରକାରୀ ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ । କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସକାର ଏହି ବୃଦ୍ଧି କରି ବିଜ୍ଞପ୍ତି ପ୍ରକାଶ କରୁଥିବା ବେଳେ ଏଥର କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା । ଏଥର ମଧ୍ୟ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବଧି ବୃଦ୍ଧି ପାଇଁ ସରକାରଙ୍କୁ ଚିଠି ଲେଖାଯାଇଥିଲା । କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୨୦, ଫେବ୍ରୁଆରି ୪ ତାରିଖରୁ ଶେଷ ହୋଇଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ନଥିଲା । ଅନ୍ୟପକ୍ଷରେ କମିସନଙ୍କ କାର୍ଯ୍ୟକାଳ ଆଉ ବୃଦ୍ଧି କରାଯିବ କି ନାହିଁ, ସେ ନେଇ ମଧ୍ୟ ସରକାର କିଛି ସ୍ପଷ୍ଟ କରିନଥିଲେ । କାର୍ଯ୍ୟକାଳ ବୃଦ୍ଧି ପ୍ରସଙ୍ଗରେ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କୁ ରିମାଇଣ୍ଡର ମଧ୍ୟ ପଠା ଯାଇଥିଲା । କିନ୍ତୁ ଏହା ପରେ ବି ସ୍ଥିତି କିଛି ସ୍ପଷ୍ଟ ହୋଇ ନଥିଲା । ସରକାର କାର୍ଯ୍ୟକାଳ ବୃଦ୍ଧି ନ କରିବାରୁ କମିସନଙ୍କ ପକ୍ଷରୁ ଆଉ ମାର୍ଚ୍ଚ ୩ରୁ ଶୁଣାଣୀ ନକରିବା ପାଇଁ ନୋଟିସ ପ୍ରକାଶ ପାଇଛି ।