ବିଧାନସଭା ବିବରଣୀ ଡିଜିଟାଇଜଡ କରାଯାଇ ବିଧାୟକଙ୍କ ନିକଟକୁ ପଠାଯିବ
ଭୁବନେଶ୍ୱର : ଏଣିକି ବିଧାନସଭା ବିବରଣୀ ଡିଜିଟାଇଜ କରାଯାଇ ସମ୍ପୃକ୍ତ ବିଧାୟକ ବିଧାୟିକାଙ୍କ ନିକଟକୁ ସେମାନଙ୍କ ଅବଗତି ନିମନ୍ତେ ପ୍ରେରଣ କରାଯିବ । ଆଜି ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ ବିବରଣୀର ଡିଜିଟାଇଜେସନ ସମ୍ପର୍କିତ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ବିଧାନସଭା ନ୍ୟାସନାଲ ଇ-ବିଧାନ ଆପ୍ଲିକେସନ (ଏନଇଭିଏ) ର କାର୍ଯ୍ୟକାରିତା, ବିଧାନସଭା ଗୃହ ଓ ପରିସରକୁ ସମ୍ପୂର୍ଣ୍ଣ ୱାଇଫାଇ କରିବା, ଉତ୍ତରଦାୟିତ୍ୱ, ପାରଦର୍ଶିତା ଓ ଫଳପ୍ରଦ ପ୍ରଶାସନ ପାଇଁ ବିଧାନସଭା କାର୍ଯ୍ୟରେ ଓସ୍କାସ (ଓଡ଼ିଶା ସେକ୍ରେଟାରିଏଟ ୱାର୍କ ଫ୍ଲୋ ଅଟୋମେସନ ସିଷ୍ଟମ) ସଫ୍ଟୱେର ପ୍ରଚଳନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।
ଗୃହର ବିବରଣୀକୁ ଏନଇଭିଏ ପୋର୍ଟାଲରେ ଅପଲୋଡ଼ କରିବା ସହିତ ବିଧାନସଭା କର୍ମଚାରୀମାନଙ୍କୁ ଯଥାଶୀଘ୍ର ଓକାକରେ କମ୍ପ୍ୟୁଟର ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯିବ ବୋଲି ବାଚସ୍ପତି ଡ.ପାତ୍ର କହିଛନ୍ତି । ଏ ଦିଗରେ ଯଥୋଚିତ ପଦକ୍ଷେପ ନେବା ପାଇଁ ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତ ବିଭାଗ ଓକାକ୍ ଓ ଏନଆଇସିକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ସମେତ ଓକାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍.କେ ପଟ୍ଟନାୟକ, ଏନଆଇସିର ଉପମହା ନିର୍ଦ୍ଦେଶିକା ପ୍ରତିଭା ସିଂ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ସରିତା ସାହୁ, ବିଧାନସଭା ଯୁଗ୍ମ ସଚିବ ସରୋଜ କୁମାର ମହାନ୍ତି ଓ ଅନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।