ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସାକ୍ଷାତ ଆଲୋଚନା
ବାଲେଶ୍ୱର,: ବୁଧବାରଦିନ ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ ସଦସ୍ୟାମାନେ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ସମୀକ୍ଷା ପାଇଁ ଜଳେଶ୍ୱର ବିଧାୟକ ତଥା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଅଶ୍ୱିନୀ ପାତ୍ରଙ୍କ ନେତୃତ୍ୱରେ ବାଲେଶ୍ୱର ଜିଲ୍ଲାଗସ୍ତରେ ଆସିଥିଲେ । ଅପରାହ୍ନରେ ଜିଲ୍ଲାପାଳଙ୍କ ‘ସଦ୍ଭାବନା ଗୃହ’ର ସମୀକ୍ଷା ବୈଠକରେ ବାଲେଶ୍ୱର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବାକୁ ଦାବି କରିଥିଲେ । ଫକୀରମୋହନ ସେନାପତି ସରକାରୀ ମେଡିକାଲ୍ କଲେଜ୍ ସଂଲଗ୍ନ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ନିର୍ମାଣ ପାଇଁ ସରକାରୀ ଜମି ଓ ଅର୍ଥ ମଞ୍ଜୁର ପରେ ମଧ୍ୟ ଜିଲ୍ଲାର ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସମନ୍ୱୟର ଅଭାବରୁ ଏହା ବିଳମ୍ବିତ ହେଉଥିବା ସମ୍ପର୍କରେ କ୍ରିୟାନୁଷ୍ଠାନ କମିଟିର ସଂପାଦକ ନିରଞ୍ଜନ ପରିଡ଼ା ଅଭିଯୋଗ କରିଥିଲେ । ସେହିପରି ଜାତୀୟ ରାଜପଥରୁ ମେଡିକାଲ୍ କଲେଜ୍କୁ ଥିବା ରାସ୍ତାର ଚିହ୍ନଟ ପ୍ରକ୍ରିୟା, ହସ୍ପିଟାଲ୍ରେ ଲିପ୍ଟ୍, ଅଧିକ ଟିକଟ୍ କାଉଣ୍ଟର, ଏମ୍ସର ବହିର୍ବିଭାଗକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଆୟୁଷ ହସ୍ପିଟାଲ୍ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଓ ମାନସିକ ରୋଗୀମାନଙ୍କ ପାଇଁ ସ୍ୱତନ୍ତ୍ର ଏକ ହସ୍ପିଟାଲ୍ ନିର୍ମାଣ ପ୍ରଭୃତି ଦାବି ସଂପର୍କରେ କମିଟିର ପ୍ରତିନିଧିମାନେ ଷ୍ଟାଣ୍ଡିଂ କମିଟିକୁ ଅବଗତ କରାଇଥିଲେ । କ୍ରିୟାନୁଷ୍ଠାନ କମିଟି ତରଫରୁ ସାଧାରଣ ସଂପାଦକଙ୍କ ସମେତ ପ୍ରଭାକର ସାହୁ, ଗୌରାଙ୍ଗ ପାଣିଗ୍ରାହୀ, ନିରଞ୍ଜନ ରାଉତ ଓ ବିଜନ ଦେ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।